ଭୁବନେଶ୍ୱର: ପ୍ରାୟ ୧୮୦ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ବିପର୍ଯ୍ୟୟ ପରିଚାଳନା ଭବନ ନିର୍ମାଣ କରାଯିବ। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ପ୍ରକଳ୍ପକୁ ଦେଢ଼ ବର୍ଷ ମଧ୍ୟରେ ଶେଷ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଭବନ ନିର୍ମାଣ ଦାୟିତ୍ୱ ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକ୍ସନ୍ କର୍ପୋରେସନ୍ ଲିମିଟେଡ୍ (OB&CC)କୁ ଦିଆଯାଇଛି। ଏହି ଅତ୍ୟାଧୁନିକ ଭବନରେ ବିପର୍ଯ୍ୟୟ ସମୟରେ ଯୋଜନା ପ୍ରସ୍ତୁତି, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଏବଂ ଜରୁରୀକାଳୀନ ପରିସ୍ଥିତିର ତ୍ୱରିତ ମୁକାବିଲା ପାଇଁ ଆଧୁନିକ ସୁବିଧା ଉପଲବ୍ଧ ରହିବ। ଏହାସହ ଭୁବନେଶ୍ୱରସ୍ଥିତ ରେଭେନ୍ୟୁ ଅଫିସର୍ସ ଟ୍ରେନିଂ ଇନଷ୍ଟିଟ୍ୟୁଟ୍ (ROTI) ପରିସରରେ ୯୦ କୋଟି ଟଙ୍କା ବ୍ୟୟରେ ଏକ ଆଧୁନିକ ଅଡିଟୋରିୟମ୍ ନିର୍ମାଣ କରାଯିବ। ଏଥିରେ ଅତ୍ୟାଧୁନିକ ବୈଠକ ବ୍ୟବସ୍ଥା, ପ୍ରଶିକ୍ଷଣ ସୁବିଧା ଓ ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି କରାଯିବ।