ଓଡ଼ିଶାରୁ ବିଦେଶକୁ ସିଧା ଉଡ଼ାଣ: ରାଜଧାନୀରେ ଭିସା କେନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଦେଶ ଗସ୍ତ ପାଇଁ ଭିସା ଆବେଦନ କରିବାକୁ ଏଣିକି ଓଡ଼ିଶାବାସୀଙ୍କୁ ଆଉ ଦିଲ୍ଲୀ, କୋଲକାତା କିମ୍ବା ମୁମ୍ବାଇ ଭଳି ମହାନଗର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ରାଜଧାନୀ ଭୁବନେଶ୍ୱରର ବାବା ସାହେବ ଆମ୍ବେଦକର ବସ ଟର୍ମିନାଲ (ISBT) ପରିସରରେ VFS ଗ୍ଲୋବାଲ ଦ୍ୱାରା ପରିଚାଳିତ ଏକ ନୂତନ ଭିସା ଆବେଦନ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଉଦଘାଟନ କରିଛନ୍ତି। ବରମୁଣ୍ଡା ସ୍ଥିତ ବାବା ସାହେବ ଆମ୍ବେଦକର ବସ ଟର୍ମିନାଲ (ପ୍ରାୟ ୩,୦୦୦ ବର୍ଗଫୁଟ ପରିମିତ ସ୍ଥାନ)। ପ୍ରଥମ ପର୍ଯ୍ୟାୟରେ ୟୁନାଇଟେଡ କିଙ୍ଗଡମ (UK), ଆୟରଲ୍ୟାଣ୍ଡ, ଅଷ୍ଟ୍ରିଆ, ଏସ୍ତୋନିଆ, ଇଟାଲୀ, ମାଲ୍ଟା, ସ୍ୱିଜରଲ୍ୟାଣ୍ଡ, ଜାପାନ, ମରୋକ୍କୋ ଏବଂ ଇଜିପ୍ଟ ସହିତ ମୋଟ ୧୦ଟି ଦେଶ ପାଇଁ ଭିସା ସେବା ମିଳିବ। ଖୁବଶୀଘ୍ର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଦେଶଗୁଡ଼ିକୁ ମଧ୍ୟ ଏହି ସେବାରେ ସାମିଲ କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି କେନ୍ଦ୍ର ଓଡ଼ିଶାର ଗ୍ଲୋବାଲ କନେକ୍ଟିଭିଟିକୁ ସୁଦୃଢ଼ କରିବ। ଏହାଦ୍ୱାରା ରାଜ୍ୟବାସୀଙ୍କ ବିଦେଶ ଯାତ୍ରା ସହଜ ହେବା ସହ ଶିଳ୍ପ, ପର୍ଯ୍ୟଟନ ଏବଂ ଆନ୍ତର୍ଜାତୀୟ ସମ୍ପର୍କ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ। ରାଜ୍ୟ ବାହାରକୁ ଯାଇ ଭିସା ଆବେଦନ କରିବାରେ ଯେଉଁ ଖର୍ଚ୍ଚ ଓ ସମୟ ନଷ୍ଟ ହେଉଥିଲା, ଏହି କେନ୍ଦ୍ର ତାହାକୁ ଅନେକାଂଶରେ ହ୍ରାସ କରିବ।