ନୂଆଦିଲ୍ଲୀ,: ଭାରତରେ ଆୟୋଜିତ ହେବାକୁ ଥିବା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନୂଆଦିଲ୍ଲୀ ଗସ୍ତ ପୂର୍ବରୁ, ଦୀର୍ଘ ୬ ବର୍ଷ ଧରି ବନ୍ଦ ରହିଥିବା ଗୁଆଙ୍ଗଝୁ-ନୂଆଦିଲ୍ଲୀ ବିମାନ ଚଳାଚଳ ପୁଣି ଆରମ୍ଭ ହେବାକୁ ଯାଉଛି। ଚାଇନା ସଦର୍ଣ୍ଣ ଏୟାରଲାଇନ୍ସ ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୨୧ ତାରିଖରୁ ଏହି ରୁଟ୍ରେ ନିୟମିତ ଯାତ୍ରୀବାହୀ ବିମାନ ସେବା ପୁନଃକାର୍ଯ୍ୟକ୍ଷମ ହେବ। ଏହି ସେବା ଆରମ୍ଭ ହେବା ଦ୍ୱାରା ଦକ୍ଷିଣ ଏସିଆର ୮ଟି ରାଉଣ୍ଡ-ଟ୍ରିପ୍ ରୁଟ୍ରେ ପ୍ରତି ସପ୍ତାହରେ ମୋଟ ବିମାନ ଚଳାଚଳ ସଂଖ୍ୟା ୧୦୦ରୁ ଅଧିକ ହେବ। ଗତ କିଛି ମାସ ହେବ ଭାରତ ଓ ଚୀନ୍ ମଧ୍ୟରେ ବିମାନ ସଂଯୋଗୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସୁଧାର ଆସିଛି। ଏହାପୂର୍ବରୁ ଏପ୍ରିଲ ମାସରେ ଏୟାର ଚାଇନା ପକ୍ଷରୁ ବେଜିଂ-ନୂଆଦିଲ୍ଲୀ ସେବା ଆରମ୍ଭ ହୋଇଥିବା ବେଳେ ଏପ୍ରିଲ ୧୮ରେ ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସ କୁନମିଂ ଓ କୋଲକାତା ମଧ୍ୟରେ ସିଧାସଳଖ ବିମାନ ସେବା ପୁନଃଆରମ୍ଭ କରିଥିଲା। ସେହିପରି ଭାରତୀୟ ବିମାନ ସେବା ସଂସ୍ଥା ଇଣ୍ଡିଗୋ ମାର୍ଚ୍ଚ ୩୦ରୁ କୋଲକାତା ଓ ସାଂଘାଇ ମଧ୍ୟରେ ଦୈନିକ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିଥିଲା। ଇଣ୍ଡିଗୋ ପୂର୍ବରୁ କୋଲକାତାରୁ ଗୁଆଙ୍ଗଝୁ ଏବଂ ପରବର୍ତ୍ତୀ ସମୟରେ ନୂଆଦିଲ୍ଲୀରୁ ଚୀନ୍ ସହରକୁ ନିଜର ସେବା ପୁନଃକାର୍ଯ୍ୟକ୍ଷମ କରିସାରିଛି। ସେପଟେ ଚୀନ୍ର ସରକାରୀ ସମ୍ବାଦ ସଂସ୍ଥା ଜିନହୁଆର ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ୧୮ତମ ବ୍ରିକ୍ସ ସମ୍ମିଳନୀରେ ଭାଗ ନେବା ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଶନିବାର ବେଜିଂରୁ ନୂଆଦିଲ୍ଲୀ ଗସ୍ତ କରିଛନ୍ତି।