ଏସ୍ଆଇଆରକୁ ନେଇ ନିର୍ବାଚନ ଆୟୋଗରେ ମତଭେଦ, ଏବେ ନିଷ୍ପତ୍ତି ନେବେ ସିଜେଆଇ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ ଅଧିକାରୀଙ୍କ ମଧ୍ୟରେ ମତଭେଦ | ଆଇନକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି ବେଳେ ଏକମତ ହୋଇ ପାରି ନାହାନ୍ତି ଦୁଇ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ। ଆବେଦନକାରୀ ମାମଲାର ବିଚାର ବୃହତ୍ତର ୫ ଜଣିଆ ବେଞ୍ଚକୁ ପଠାଇବାକୁ ଅନୁରୋଧ କରିଥିଲେ ହେଁ ଦୁଇ ବିଚାରପତି ଏଥିରେ ଏକମତ ହୋଇପାରି ନାହାନ୍ତି। ଏବେ ଏହି ପ୍ରସଙ୍ଗକୁ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ଆଗରେ ଉପସ୍ଥାପନ କରାଯାଇଛି। ସେ ହିଁ ଆବେଦନ ବୃହତ୍ତର ବେଞ୍ଚକୁ ଶୁଣାଣି ପାଇଁ ଯିବ କି ନାହିଁ, ତା’ର ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ନିର୍ବାଚନ କମିଶନର ନିଯୁକ୍ତ ଆଇନ ବିରୋଧରେ ହୋଇଥିବା ଆବେଦନର ଶୁଣାଣି ଜଷ୍ଟିସ ଦୀପଙ୍କର ଦତ୍ତା ଓ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ କରିଛନ୍ତି। ୨୦୨୩ରେ ଭାରତ ସରକାର ପ୍ରଣୟନ କରିଥିବା ଆଇନରେ ନିଯୁକ୍ତି ପ୍ୟାନେଲରୁ ପ୍ରଧାନ ବିଚାରପତିଙ୍କୁ ହଟାଇ ଦେଇଛନ୍ତି। ତାଙ୍କ ବଦଳରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମନୋନୀତ ଜଣେ କ୍ୟାବିନେଟ ମନ୍ତ୍ରୀ ନିଯୁକ୍ତି ପ୍ୟାନେଲରେ ରହିବାର ବ୍ୟବସ୍ଥା କରାଯାଇଛି। ଏହାକୁ ଆବେଦନକାରୀ ବିରୋଧ କରିଛନ୍ତି। ଶୁଣାଣି ବେଳେ ଜଷ୍ଟିସ ଦତ୍ତା ଆବେଦନର ବିଚାର ବୃହତ୍ତର ବେଞ୍ଚରେ କରାଯିବାର ଆବଶ୍ୟକତା ନାହିଁ ବୋଲି କହିଥିଲେ। ହେଲେ ଜଷ୍ଟିସ ଶର୍ମା ଏଥିରେ ଏକମତ ହୋଇ ନାହାନ୍ତି। ଆବେଦନକାରୀ ଉଠାଇଥିବା ସାମ୍ବିଧାନିକ ପ୍ରଶ୍ନର ବିଚାର ନିଶ୍ଚିତ ଭାବେ ୫ ଜଣିଆ ସାମ୍ବିଧାନିକ ବେଞ୍ଚ କରିବା ଦରକାର ବୋଲି ସେ ମତ ରଖିଛନ୍ତି। ଜଷ୍ଟିସ ଶର୍ମାଙ୍କ କହିବା କଥା ଯେ ସମ୍ବିଧାନର ମୌଳିକ ସିଦ୍ଧାନ୍ତ ଅନୁଯାୟୀ ଚୟନ କମିଟିରେ ଜଣେ ନିରପେକ୍ଷ ସଦସ୍ୟଙ୍କୁ ସାମିଲ ନ କରି ସଂସଦ ଠିକ୍ କରିଛି କି ନାହିଁ, ତାହା ନିଶ୍ଚିତ ଭାବେ ବିଚାରର ପ୍ରସଙ୍ଗ। ୨୦୨୩ର ଆଇନ ମୁକ୍ତ, ଅବାଧ, ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନର ମାନଦଣ୍ଡରେ ବିଫଳ ହେଉଛି କି ନାହିଁ, ତା’ର ବୈଧତା ଯାଞ୍ଚ କରିବା ସମୟରେ ୫ ଜଣିଆ ସମ୍ବିଧାନ ବେଞ୍ଚର ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ। ଜଷ୍ଟିସ୍ ଦତ୍ତ ନିର୍ବାଚନ କମିଶନର ସ୍ୱାଧୀନତା ଓ ନିରପେକ୍ଷତାକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ୨୦୨୩ ଆଇନରେ ଥିବା ନିଯୁକ୍ତି ବ୍ୟବସ୍ଥା ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ଆବଶ୍ୟକ ସାମ୍ବିଧାନିକ ମାନଦଣ୍ଡ ପୂରଣ କରୁଛି କି ନାହିଁ, ସେ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ୫ ଜଣିଆ ବେଞ୍ଚ ବଦଳରେ ଏହାର ବିଚାର ୩ ଜଣିଆ ଖଣ୍ଡପୀଠରେ କରିବାକୁ ମତ ରଖିଛନ୍ତି। ଦୁଇ ବିଚାରପତିଙ୍କ ମଧ୍ୟରେ ମତଭେଦ ଯୋଗୁ ଏହି ମାମଲାରେ କୌଣସି ସହମତି ହୋଇପାରିନାହିଁ। ସାଧାରଣତଃ ୨ ଜଣିଆ ବେଞ୍ଚର ବିଚାରପତିଙ୍କ ମଧ୍ୟରେ ମତଭେଦ ହେଲେ ମାମଲା ୩ ଜଣିଆ ବେଞ୍ଚକୁ ଯାଇଥାଏ। କିନ୍ତୁ ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପ୍ରଶ୍ନର ବିଚାର ଆହୁରି ବିଳମ୍ବିତ ହୋଇପାରେ ବୋଲି ଜଷ୍ଟିସ ଶର୍ମା କହିଛନ୍ତି। ତେଣୁ ଏହାକୁ ସମ୍ବିଧାନ ବେଞ୍ଚରେ ତାଲିକାଭୁକ୍ତ କରିବା ପାଇଁ ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଯିବ।