ଭୁବନେଶ୍ବର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ କେନ୍ଦୁଘାଟ ଗ୍ରାମରେ ଝାଡ଼ାବାନ୍ତି ଆତଙ୍କ ସୃଷ୍ଟି ହୋଇଛି। ଏହି ରୋଗରେ ଆକ୍ରାନ୍ତ ହୋଇ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ଗତ ଗୁରୁବାରଠାରୁ ଗାଁରେ ଏହି ରୋଗର ପ୍ରାଦୁର୍ଭାବ ଦେଖାଦେଇଥିବା ବେଳେ ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣ ବ୍ୟାପିବା ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରାୟ ୧୦ ଜଣ ଗୁରୁତର ଆକ୍ରାନ୍ତଙ୍କୁ ପୁଜାରିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି। ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଏକ ଚିକିତ୍ସକ ଦଳ କେନ୍ଦୁଘାଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଉଛି। ଗାଁରେ ସଂକ୍ରମଣ ବ୍ୟାପିବାର ମୁଖ୍ୟ କାରଣ କ’ଣ, ସେ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି।