ଲକ୍ଷ୍ମୀପୂଜାରେ ଢେଙ୍କାନାଳ ସହର ଅଶାନ୍ତ: ଦୁଇ ପୂଜା ପ୍ରତିଷ୍ଠାନ ମଧ୍ୟରେ ବିବାଦ,୧୩ କୋର୍ଟଚାଲାଣ

ଭୁବନେଶ୍ବର: ଲକ୍ଷ୍ମୀପୂଜା ଆରମ୍ଭରୁ ରାଜନୈତିକ ଗୋଷ୍ଠୀ କନ୍ଦଳରୁ ସୃଷ୍ଟି ହୋଇଥିଲା ବିବାଦ । ମିଳିତ ବଜାର ପୂଜା କମିଟି ସଭାପତି ଚୟନ ବୈଠକରେ ହୋଇଥିଲା ହୋ-ହଲ୍ଲା ଏହାକୁ ରାଜନୈତିକ ରୂପ ଦିଆଯାଇଥିଲା । ମାତ୍ର ଲକ୍ଷ୍ମପୂଜା ଆରମ୍ଭରୁ କଲେଜ ବଜାର ଓ ଉକ୍ତ ଅଂଚଳରେ ପୃଥକ ପୂଜା କରୁଥିବା ଏକ ଅନୁଷ୍ଠାନ ମଧ୍ୟରେ ବିବାଦ ଉଗ୍ରରୂପ ନେଇଥିଲା । ଏପରିକି ବଜାର ଅନ୍ଧାର କରି ଉକ୍ତ ଅଂଚଳବାସୀ ଏହାର ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା ପରେ ପ୍ରଶାସନ, ପୋଲିସ, ମିଳିତ ବଜାର ପୂଜା କମିଟି ଓ ଶାନ୍ତି କମିଟିର ହସ୍ତକ୍ଷେପ ପରେ ଉକ୍ତ ପ୍ରତିଷ୍ଠାନ ସେମାନଙ୍କର ମେଢ ବିସର୍ଜନ କରିଦେବାରୁ ଏହାର ସମାଧାନ ହୋଇଛି । ସେହିପରି ମହିଷାପାଟ ଓ ଜୁବୁଲି ଟାଉନ-୧ ପୂଜା ପ୍ରତିଷ୍ଠାନ ମଧ୍ୟରେ ଦେଖା ଦେଇଥିବା ବିବାଦ ପୋଲିସର ହସ୍ତକ୍ଷେପ ପରେ ସମାଧାନ ହୋଇଥିଲା ।
ପୂଜା ପ୍ରତିଷ୍ଠାନ ମଧ୍ୟରେ ବିବାଦ,ଆରୋପ ପ୍ରତ୍ୟାରୋପ, ଗୋଷ୍ଠୀ ସଂଘର୍ଷକୁ ନେଇ ପ୍ରସିଦ୍ଧ ଲକ୍ଷ୍ମୀ ପୂଜାରେ ଅଶାନ୍ତ ହୋଇ ଉଠିଛି ଭାଇଚାରାର ସହର ଢେଙ୍କାନାଳ । ସୀମା ବିବାଦ ଅଂଚଳ ଭାବେ ଦର୍ଶାଇ ବେଆଇନ ପାର୍କିଂ କରୁଥିବା ଅଭିଯୋଗକୁ ନେଇ କୈବଲ୍ୟ ବଜାର କର୍ମକର୍ତା ମାନେ ଗତ ଶନିବାର ଜୁବୁଲି ଟାଉନ-୨ ପୂଜା ପ୍ରତିଷ୍ଠାନ ସହିତ ହାତାହାତି ହୋଇଥିଲେ । ପରେ ଏହି ସଂଘର୍ଷକୁ ନେଇ ଉତେଜନା ବୃଦ୍ଧି ପାଇଥିଲା । ୨ ଗୋଷ୍ଠୀ ସଂଘର୍ଷରେ ବହୁ ଲୋର୍କ ସମ୍ପୃକ୍ତ ଥିବା ବେଳେ ଉଭୟ ପକ୍ଷର ୧୩ ଜଣଙ୍କୁ ପୋଲିର ଗିରଫ କରିଛି । ତନ୍ମଧ୍ୟରେ ଜୁବୁଲି ଟାଉନ-୨ ଅଂଚଳର ୧୧ ଏବଂ କୈବଲ୍ୟ ବଜାର ଅଂଚଳର ୨ ଜଣ ରହିଛନ୍ତି । ଜାମିନ ନାମଂଜୁର ପରେ ସମସ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ପୋଲିସ ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ଦଫା ୧୪୭,୧୪୮,୩୫୩,୩୩୨ ଓ ୩୦୭ ଅନୁଯାୟୀ ନଂ.୫୫୯/୨୨, ୫୫୬/୨୨ ଏବଂ ୫୬୦/୨୨ରେ ୩ଟି ମାମଲା ରୁଜ୍ଜୁ ହୋଇଛି । ସେହିପରି କୈବଲ୍ୟ ବଜାର ପୂଜା ପ୍ରତିଷ୍ଠାନ ପକ୍ଷରୁ ନଂ.୫୫୫/୨୨,୫୫୭/୨୨ରେ ୨ଟି ଏବଂ ଜୁବୁଲି ଟାଉନ -୨ ପୂଜା କମିଟି ପକ୍ଷରୁ ନଂ.୫୫୮/୨୨ରେ ଗୋଟିଏ ମାମଲା ରୁଜ୍ଜୁ କରାଯାଇଛି । ଅପର ପକ୍ଷେ କୈବଲ୍ୟ ବଜାରର ମୁଖ୍ୟ କର୍ମକର୍ତା ବୋଲାଉଥିବ କିଛି ଯୁବକଙ୍କୁ ପୋଲିସ ଗିରଫ ନକରିବା ଘଟଣାର ପ୍ରତିବାଦରେ ଜୁବୁଲି ଟାଉନ-୨ ପୂଜା ପ୍ରତିଷ୍ଠାନ ଓ ତାଙ୍କୁ ସମର୍ଥନ ଜଣାଇ ଜୁବୁଲି ଟାଉନ-୧ ପୂଜା ପ୍ରତିଷ୍ଠାନ ପକ୍ଷରୁ ଆଲୋକକୁ ବନ୍ଦ କରି ପ୍ରତିବାଦ କରିଥିିଲେ । ସେହିପରି କୈବଲ୍ୟ ବଜାର ପୂଜା ପ୍ରତିଷ୍ଠା ପକ୍ଷରୁ ଅନୁରୂପ ପ୍ରତିବାଦ ଜାରି ରହିଛି । ଅନଭିଜ୍ଞ ପୋଲିସ ମୁଖିଆ ଏବଂ ପୂଜା କମିଟି କର୍ମକର୍ତାଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଚର୍ଚ୍ଚା ଜୋର ଧରିଛି । ଏଭଳି ବିବାଦକୁ ନେଇ ସହର ପରିବେଶ ଅଶାନ୍ତ ହୋଇ ଉଠିଥିବା ବେଳେ ବୁଧବାର ହେବାକୁ ଥିବା ଭସାଣିକୁ ନେଇ ପ୍ରଶାସନ ଚିିନ୍ତାରେ ପଡ଼ିଯାଇଛି ।
ସୂଚନା ଥାଉକି ଲକ୍ଷ୍ମୀପୂଜା ପାଇଁ ଦେଉଳସାହି ପୂଜା କମିଟି (ଜୁବୁଲି ଟାଉନ-୨)ପୂଜା କମିଟି ଦୀର୍ଘଦିନ ଧରି କରିଆସୁଥିବା ପାର୍କିଂସ୍ଥଳକୁ ନେଇ କୈବଲ୍ୟ ବଜାର ପୂଜା ପ୍ରତିଷ୍ଠାନ ପକ୍ଷରୁ ଆନ୍ଦୋଳନର ସୂତ୍ରପାତ ହୋଇଥିଲା । ରାତି ପ୍ରାୟ ୧୦ଟା୧୫ରେ ଜୁବୁଲି ଟାଉନ-୨ର କେତେଜଣ ଯୁବକ ବଜରଙ୍ଗ କ୍ଲବ କାର୍ଯ୍ୟାଳୟ ନିକଟରେ କୈବଲ୍ୟ ବଜାର ଅଂଚଳର କେତେ ଜଣ ଯୁବକଙ୍କୁ ଆକ୍ରମଣ କରିଥିଲେ । ସଦର ଏସଡିପିଓ ଏବଂ ଟାଉନ ଥାନା ଅଧିକାରୀ ମଧ୍ୟ ଆକ୍ରମଣରୁ ବର୍ତି ନଥିଲେ । ପୋଲିସ ସ୍ଥିତି ନିୟନ୍ତ୍ରଣ କରିବାକୁ ସାରା ରାତି ପଇଁତରା ମାରିଥିଲା । ଗୋଷ୍ଟୀ ସଂଘର୍ଷ ମାମଲାରେପୋଲିସ କୋର୍ଟ ଚାଲାଣ କରିଥିବା ୧୩ ଜଣଙ୍କ ମଧ୍ୟରେ ଜୁବୁଲି ଟାଉନ-୨ ଅଂଚଳର ୧୧ ଜଣ ରହିଛନ୍ତି । ସେମାନେ ହେଲେ ପ୍ରମିଦ କୁମାର ଜେନା(୨୩),କାହ୍ନା ବେହେରା (୨୩), ସୌମ୍ୟରଂଜନ ଜେନା(୩୧), ପ୍ରତୀକ କୁମାର ଜେନା(୨୩)ସୁଧାଂଶୁ କୁମାର ଜେନା (୩୩)., ସୁନୀଲ କୁମାର ବେହେରା(୩୪),କୀର୍ତିରଂଜନ ଜେନା(୩୭),ସନ୍ତୋଷ କମାର ପତି(୫୫), ବିଧୁଭୂଷଣ ନନ୍ଦ(୫୨) ଏବଂ ରଣଜିତ ପଟ୍ଟନାୟକ(୨୮) । ସେହିପରି ÷କୈବଲ୍ୟ ବଜାରର ସବ୍ୟସାଚୀ ପଟ୍ଟନାୟକ(୪୨),ଅମିତ ମହାପାତ୍ର(୨୬) ଗିରଫ ହୋଇଛନ୍ତି । ଏହାର ପ୍ରତିବାଦରେ ଜୁବୁଲି ଟାଉନ-୧ପୂଜା ପ୍ରତିଷ୍ଠାନ ଓ ଜୁବୁଲି ଟାଉନ-୨ ପୂଜା ପ୍ରତିଷ୍ଠାନ ମିଳିତ ଭାବେ ପ୍ରତିବାଦ କରିବା ସହ ଭସାଣିରେ ଯୋଗ ନଦେବାକୁ ଚେତାବନୀ ଦେଇଥିଲେ । ଏହାକୁ ନେଇ ହୋଇଥିବା ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିନଥିଲା ।
ଆଲୋଚନାରୁ ବାହାରିଲାନି ନିଷ୍କର୍ଷ : ବିବାଦର ସମାଧାନ କରିବା ଲାଗି ରବିବାର ମିଳିତ ବଜାର ପୂଜା କମିଟି ସଭାପତି ଗୋପାଳ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କୋର୍ କମିଟି ଅନୁଷ୍ଠିତ ହୋଇଥିଲା । ସେହିପରି ଶାନ୍ତି କମିଟି ସଭାପତି ସୁଧାଂଶୁ ଦଳେଇ ଓ ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଜରୁରୀ ବୈଠକ ବସିଥିଲା । ଏହାର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଏସପି ଓ ଜିଲ୍ଲାପାଳଙ୍କ ସହ ଆଲୋଚନା ଶେଷ ହେବା ପୂର୍ବରୁ ଟାଉନ ଥାନା ପୋଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଦେଇଥିଲା । ଫଳରେ ଆଲୋଚନାର ନିଷ୍କର୍ଷ ବାହାରିବା ପୂର୍ବରୁ ସମାଧାନର ବାଟ ବନ୍ଦ ହୋଇ ଯାଇଥିଲା ।ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମଧ୍ୟ କୌଣସି ସମାଧାନର ବାଟ ବାହାରି ପାରିନଥିଲା । ଫଳରେ ମିଳିତ ଶୋଭାଯାତ୍ରାରେ ଶାନ୍ତି ଶୃଙ୍ଖଳାକୁ ନେଇ ଅନେକତ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୧୧ ଦିନ ପୂଜା ମଧ୍ୟରେ ଜିଲ୍ଲା ପ୍ରଶାସନର ଦୂରଦୃଷ୍ଟି ଅଭାବ ଓ ପୋଲିସ ପ୍ରଶାସନର ବିଫଳତା ଓ ଟ୍ରାଫିକ ନିୟନ୍ତ୍ରଣରେ ଅବ୍ୟବସ୍ଥାକୁ ନେଇ ଜନ ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ ବହୁ ବର୍ଷ ଧରି ଭାଇଚାରା ଭାବେ ପାଳନ ହୋଇ ଆସୁଥିବା ଗଜଲକ୍ଷ୍ମୀ ପୂଜାରେ ୨ ବଜାରର ଗଣ୍ଡଗୋଳକୁ ନେଇ ଜିଲ୍ଲା ପ୍ରଶାସନ ସମାଧାନ ନକରିପାରିବା ଜିଲ୍ଲା ପାଇଁ ଏକ ଲଜ୍ୟାକର ଘଟଣା ହୋଇଛି ବୋଲି ସହରବାସୀଙ୍କ ମନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Dhenkanal town riots over Lakshmi Puja: Dispute between two worship institutions