ଢେଙ୍କାନାଳ : ନିଖୋଜ ସମିତି ସଭ୍ୟା ପ୍ରାର୍ଥୀନୀଙ୍କ ସ୍ୱାମୀ ଉଦ୍ଧାର

ଢେଙ୍କାନାଳ ଜିଲ୍ଲାର ସମିତି ସଭ୍ୟା ପ୍ରାର୍ଥନୀଙ୍କ ନିଖୋଜ ସ୍ୱାମୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି ।ତାଙ୍କୁ ସିମିଳିଆ ଓଭରବ୍ରିଜ ତଳୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଢେଙ୍କାନାଳ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାନୁସାରେ ଢେଙ୍କାନାଳ ସଦର ବ୍ଲକର ୨ ନମ୍ବର ଜିଲ୍ଲା ପରିଷଦ ଜୋନର ସାଙ୍କୁଲେଇ ପଞ୍ଚାୟତ ସମିତି ସଭ୍ୟା ପ୍ରାର୍ଥୀନୀ ଭାରତୀ ରଥଙ୍କ ସ୍ୱାମୀ ଚିନ୍ମୟ କୁମାର ଦାଶ ୧୬ତାରିଖ ଦିନ ସାରା ପ୍ରଚାର ସାରି, ରାତି ୯ ତା ସମୟରେ ଗାଁ ଭିତରକୁ କୌଣସି କାମରେ ଯାଇ ଆଉ ଫେରି ନ ଥିଲେ I ତାଙ୍କର ଫୋନ୍ ମଧ୍ୟ ସ୍ୱିଚ୍ ଅଫ୍ ରହିଥିଲା । ଏହାପରେ ପରିବାର ଲୋକେ ଅପହରଣ ସନ୍ଦେହ କରି ଥାନାରେ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ଢୋଲପଶି-ଶାଙ୍କୁଲେଇ ରାସ୍ତାକଡ଼ରୁ ପୋଲିସ ଚିନ୍ମୟଙ୍କ ରକ୍ତଛିଟା ଲଗା ସ୍କୁଟିକୁ ଜବତ କରିଥିଲା ।ଏହି ଘଟଣାରେ ଭୟଭୀତ ହୋଇ ପତ୍ନୀ ଭାରତୀ ରଥ ତାଙ୍କର ଭୋଟ ଦରକାର ନାହିଁ, ସ୍ୱାମୀ ଦରକାର ବୋଲି ମିଡ଼ିଆରେ କାନ୍ଦି କାନ୍ଦି ଆକୁଳ ନିବେଦନ କରିଥିଲେ ।ତେବେ ଚିନ୍ମୟଙ୍କୁ ଟାଉନ ଥାନା ସିମିଲିଆ ବାଜିଚୌକ ଓଭରବ୍ରିଜ ତଳୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ଚିନ୍ମୟ କିପରି ବ୍ରିଜ ତଳକୁ ଗଲେ, ତାଙ୍କୁ ସେଠାକୁ କିଏ ନେଇଥିଲା ସେ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିନାହିଁ ।