ଜାତୀୟ ଓ ରାଜ୍ୟ ରାଜପଥରେ ବେଆଇନ ପରିବହନ ଗାଡ଼ି ପାର୍କିଂ ରୋକିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର/ନୂଆଦିଲ୍ଲୀ, ୧୫ ଅକ୍ଟୋବର ୨୦୨୬ – ରାଜ୍ୟର ବିଭିନ୍ନ ପ୍ରମୁଖ ଖଣି ଓ ଶିଳ୍ପାଞ୍ଚଳର ଜାତୀୟ ତଥା ରାଜ୍ୟ ରାଜପଥଗୁଡ଼ିକରେ ବାଣିଜ୍ୟିକ ଓ ବଡ଼ ବଡ଼ ଯାନଗୁଡ଼ିକର ବେଆଇନ ତଥା ବିପଦଜନକ ପାର୍କିଂ ଯୋଗୁଁ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖିଛନ୍ତି ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ଖଣି ଓ ଶିଳ୍ପ କରିଡରଗୁଡ଼ିକରେ ଟ୍ରକଗୁଡ଼ିକ କିଲୋମିଟର କିଲୋମିଟର ପର୍ଯ୍ୟନ୍ତ ଧାଡ଼ି କରି ରାସ୍ତା ଉପରେ ବେଆଇନ ଓ ବିପଦଜନକ ପାର୍କିଂ କରୁଥିବାରୁ ସଡ଼କ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି । ବିଶେଷ ଭାବରେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଏଭଳି ଘଟଣା ଦେଖିବାକୁ ମିଳୁଥିବା ବେଳେ ଖଣି କମ୍ପାନୀଗୁଡ଼ିକ ଦ୍ୱାରା ଲଜିଷ୍ଟିକ୍ସ ଶୃଙ୍ଖଳାର ଅଭାବ ଓ କିମ୍ବା ନିର୍ଦ୍ଦିଷ୍ଟ ପାର୍କିଂ ନଥିବାରୁ ସଡ଼କ ସୁରକ୍ଷା ପ୍ରତି ଏକ ଗୁରୁତର ବିପଦ ସୃଷ୍ଟି କରୁଛି ।  ତେବେ ଏହାର ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ପାଖରେ ସିଧାସଳଖ ସାମ୍ବିଧାନିକ ଆଦେଶ ଏବଂ ଦୃଢ଼ ଆଇନଗତ କ୍ଷମତା ରହିଛି ।  

ପ୍ରଥମତଃ, ମାନ୍ୟବର ସୁପ୍ରିମକୋର୍ଟ ସୁଓ ମୋଟୋ ମାମଲାରେ(Suo Moto W.P. (C) No. 9 of 2025) ଏପ୍ରିଲ ୧୩, ୨୦୨୬ ତାରିଖର ରିପୋର୍ଟେବଲ୍ ଆଦେଶରେ ସ୍ପଷ୍ଟ ଭାବରେ ରାୟ ଦେଇଛନ୍ତି ଯେ ସମ୍ବିଧାନର ଧାରା ୨୧ ଅନ୍ତର୍ଗତ ଜୀବନର ଅଧିକାର(Right to Life) ଏକ ଅଭିଚ୍ଛେଦ୍ୟ ଅଙ୍ଗ ହେଉଛି ରାଜପଥରେ ନିରାପଦ ଯାତାୟାତ । ସମ୍ବିଧାନର ଧାରା ୧୪୨ ଅଧୀନରେ ଥିବା କ୍ଷମତାର ବ୍ୟବହାର କରି ମାନ୍ୟବର ସର୍ବୋଚ୍ଚ ଅଦାଲତ ବାଧ୍ୟତାମୂଳକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିଛନ୍ତି ଯେ ନିର୍ଦ୍ଦିଷ୍ଟ ପାର୍କିଂ ରହଣୀ ବ୍ୟତୀତ କୌଣସି ଜାତୀୟ ରାଜପଥ ବା ଗାଡ଼ି ଚଳାଚଳ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ବଡ ଓ ବାଣିଜ୍ୟିକ ଯାନ ପାର୍କିଂ କରିପାରିବେ ନାହିଁ । ଏଥିସହ ୨୪ ଘଣ୍ଟିଆ ପାଟ୍ରୋଲିଂ ଟିମ୍, ଅଟୋମେଟେଡ୍ ଇ-ଚାଲାଣ ବ୍ୟବସ୍ଥା ଏବଂ ଜିଲ୍ଲା ସଡ଼କ ସୁରକ୍ଷା ଟାସ୍କଫୋର୍ସ ଜରିଆରେ ସେହିଂ ବେଆଇନ ପାର୍କିଂକୁ ହଟାଇବା ନେଇ ଜିଲ୍ଲାପାଳ ଏବଂ ଏସପି ଉତ୍ତରଦାୟୀ ରହିବେ ବୋଲି ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

 ଦ୍ୱିତୀୟତଃ ରାଜ୍ୟର ନିଜସ୍ୱ ଓଡ଼ିଶା ରାଜ୍ୟ ରାଜପଥ କର୍ତ୍ତୃପକ୍ଷ ଆଇନ, ୨୦୨୫ ନିୟମ ଭଙ୍ଗ କରୁଥିବା ଡ୍ରାଇଭର, ପରିବହନ ଅପରେଟର ଏବଂ ଶିଳ୍ପ କମ୍ପାନୀଗୁଡ଼ିକ ବିରୁଦ୍ଧରେ କଠୋର ପ୍ରଶାସନିକ, ଆର୍ଥିକ ଏବଂ ଅପରାଧିକ ଦଣ୍ଡର ବ୍ୟବସ୍ଥା ରହିଛି । ସେକ୍ସନ ୨୮ ଅନୁଯାୟୀ ରାସ୍ତାରେ ବିପଦଜନକ ଭାବେ ଗାଡ଼ି ନେଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ୧,୦୦୦ ଟଙ୍କାରୁ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ବାଧ୍ୟତାମୂଳକ ଜରିମାନା ଲଗାଇବା ଏବଂ ଯଦି ଗୋଟିଏ ମାସ ପରେ ଜରିମାନା ଆଦାୟ ନହୁଏ ତେବେ ଜବତ ଯାନଗୁଡ଼ିକୁ ନିଲାମ କରିବାର ଅଧିକାର ରହିଛି ।

ଏହାବ୍ୟତୀତ, ଆଇନର ସେକ୍ସନ ୭୨ ଓ ୭୩ ଅଧିକାରୀମାନଙ୍କୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରିଥାଏ ଯେ, ସେମାନେ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ିଗୁଡ଼ିକୁ ସେଥିରେ ଥିବା ମାଲପତ୍ର ସହିତ ଜବତ କରିବା ସହିତ ଘଣ୍ଟା ପ୍ରତି ପାର୍କିଂ ଶୁକ୍ଳ ମଧ୍ୟ ଆଦାୟ କରିପାରିବେ। ସେହିପରି ସେକ୍ସନ ୬୯ ଅନୁଯାୟୀ, ଅସୁରକ୍ଷିତ ଭାବେ ଗାଡ଼ି ଚାଳନା ଏବଂ ଓଭରଲୋଡିଂ କରୁଥିବା ବ୍ୟକ୍ତିଙ୍କ ପାଇଁ ଛଅ ମାସ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେକ୍ସନ ୭୬ ସ୍ୱତନ୍ତ୍ର ଭାବରେ ଏହା ସ୍ଥିର କରିଥାଏ ଯେ, ଯଦି କମ୍ପାନୀଗୁଡ଼ିକର କର୍ପୋରେଟ୍ ଅବହେଳା କିମ୍ବା ପରିବହନ ଅବ୍ୟବସ୍ଥା (ଲଜିଷ୍ଟିକ୍ସ ମ୍ୟାନେଜମେଣ୍ଟରେ ତ୍ରୁଟି) ଯୋଗୁଁ ଏଭଳି ଅପରାଧ ଘଟେ, ତେବେ ସେହି କମ୍ପାନୀର ବ୍ୟାବସାୟିକ ଦାୟିତ୍ୱରେ ଥିବା ପ୍ରତ୍ୟେକ ଅଧିକାରୀ ବା ନିର୍ଦ୍ଦେଶକ ଦୋଷୀ ଭାବେ ବିବେଚିତ ହେବେ ଏବଂ ସେମାନଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ ମାମଲା ରୁଜୁ କରାଯିବ ।

ରାଜ୍ୟରେ ଶୃଙ୍ଖଳା ଫେରାଇ ଆଣିବା, ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ଏବଂ ଦାୟିତ୍ୱବୋଧ କଡ଼ାକଡ଼ି କରିବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଓଡ଼ିଶା ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗକୁ ଜନସଚେତନତା ନୋଟିସ୍ ଜାରି କରିବା ସହ ସେକ୍ସନ ୭୨ ଅଧୀନରେ ଗାଡ଼ି ଜବତ କରିବାକୁ କଡ଼ା ନିର୍ଦ୍ଦେଶ ଦେବା ପାଇଁ ସେ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହା ବ୍ୟତୀତ, ଯେଉଁ ଶିଳ୍ପ ଓ ଖଣି ସଂସ୍ଥାମାନଙ୍କର ପରିବହନ ଜାମ୍ ଯୋଗୁଁ ରାଜପଥରେ ଗାଡ଼ି ଭିଡ଼ ସୃଷ୍ଟି ହେଉଛି, ସେମାନଙ୍କ ବିରୁଦ୍ଧରେ ସେକ୍ସନ ୭୬ ଅନୁଯାୟୀ କର୍ପୋରେଟ୍ ଲାୟାବିଲିଟି ଲାଗୁ କରାଯିବା ଉଚିତ୍। ସେହିପରି ନିର୍ଦ୍ଦିଷ୍ଟ ବ୍ୟବଧାନରେ ସମୀକ୍ଷା ପାଇଁ ଜିଲ୍ଲା ସଡ଼କ ସୁରକ୍ଷା ଟାସ୍କଫୋର୍ସକୁ କାର୍ଯ୍ୟକ୍ଷମ କରାଯିବା ଏବଂ ଖଣି ଅପରେଟରମାନେ ମୌଳିକ ସୁବିଧା ସମ୍ପନ୍ନ ଅଫ୍-ହାଇୱେ ହୋଲ୍ଡିଂ ୟାର୍ଡ ନିର୍ମାଣ କରିବାକୁ ବାଧ୍ୟ କରାଯିବା ଆବଶ୍ୟକ। ମାନବ ଜୀବନର ମୂଲ୍ୟ କୌଣସି ଶିଳ୍ପଗତ କିମ୍ବା ପ୍ରଶାସନିକ ଅସୁବିଧାଠାରୁ ଅଧିକ ନୁହେଁ। ଆଇନ ଭଙ୍ଗକାରୀଙ୍କ ବିରୁଦ୍ଧରେ ଦ୍ରୁତ ଏବଂ ଦଣ୍ଡମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଆମର ରାଜପଥଗୁଡ଼ିକ ବିପଦର କ କରିଡର ବଦଳରେ ପ୍ରଗତିର କରିଡର ହୋଇ ରହିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।