ଆସନ୍ତାକାଲି ଭୁବନେଶ୍ୱର ଠାରେ ଜି -୨୦ ‘ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ’ର ଉଦଘାଟନ କରିବେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ଏପ୍ରିଲ ୨୨ – ଭୁବନେଶ୍ୱର ଠାରେ ଜି-୨୦ ‘ଶିକ୍ଷା ଓ୍ୱାର୍କିଂ ଗ୍ରୁପ’ର ତୃତୀୟ ବୈଠକର ଅବ୍ୟବହିତ ପୂର୍ବରୁ ଆସନ୍ତାକାଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର  ଆଇଏମଏମଟି ପରିସର ଠାରେ ଆୟୋଜିତ ଜି-୨୦ ଭାରତ ‘ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା’ ପ୍ରଦର୍ଶନୀର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।    

ଏହି ପ୍ରଦର୍ଶନୀକୁ ଲୋକାର୍ପଣ ସହ ପରିଦର୍ଶନ କରିବା ପରେ ଶ୍ରୀ ପ୍ରଧାନ ସେଠାରେ ‘ଭବିଷ୍ୟତର କାର୍ଯ୍ୟଶୈଳୀ’ ପାଇଁ ଅନୁଷ୍ଠିତ ଏକ ସମ୍ମିଳନୀରେ  ଯୋଗଦେବେ । ସମ୍ମିଳନୀର କଥାବସ୍ତୁ ରହିଛି “ଭବିଷ୍ୟତ କାର୍ଯ୍ୟଶୈଳୀରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ” । ଏଥିରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଏଆଇ, ମେଟା ଭର୍ସ, ଅଟୋମେସନ, ମେସିନ ଲର୍ଣ୍ଣି ଇତ୍ୟାଦି ଉପରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଭାରତର ଅନ୍ତରାଷ୍ଟ୍ରୀୟ ସହଭାଗିତାକୁ ସୁଦୃଢ଼ କରିବା ସହ ଭବିଷ୍ୟତର କାର୍ଯ୍ୟଶୈଳୀକୁ ନେଇ ଢାଞ୍ଚା ପ୍ରସ୍ତୁତ କରିବା ଦିଗରେ ଏହି ବିଚାରବିମର୍ଷରେ ଅଧିକ ଗୁରୁତ୍ୱ ଦିଆଯିବ ।  

ଓଡ଼ିଶାରେ କଥାବସ୍ତୁ ‘ଭବିଷ୍ୟତର କାର୍ଯ୍ୟ’ ରହିଥିବା ବେଳେ ଜିଲ୍ଲା ଗୁଡ଼ିକରେ ଉଭା ହେଉଥିବା କୌଶଳ ଆବଶ୍ୟକତା ଓ ନିରନ୍ତର ଦକ୍ଷତା ବିକାଶ, ରି-ସ୍କିଲିଂ ଏବଂ ଅପ-ସ୍କିଲିଂର ଆବଶ୍ୟକତା ଉପରେ ବ୍ୟାପକ ବିଚାରବିମର୍ଷ କରି ସବୁଠି ପହଞ୍ଚାଇବା ପାଇଁ ଯୋଜନା କରିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସ୍ପଷ୍ଟ କଳ୍ପନା ରହିଛି।

ବିଶ୍ୱରେ ଦ୍ରୁତ ଗତିରେ ଟେକ୍ନୋଲୋଜି ପରିବର୍ତ୍ତନ ହେଉଛି ।  ଅଟୋମେସନ ଓ ଡିଜିଟାଲ ଟେକ୍ନୋଲୋଜିକୁ ନେଇ ଭାରତ ଆଗକୁ ବଢୁଛି । ସେଥିପାଇଁ ଆଗାମୀ ଭବିଷ୍ୟତ ପାଇଁ ଅତି କୁଶଳୀ, ଦକ୍ଷ ଓ କର୍ମଯୋଗୀ ମାନବ ସମ୍ବଳର ଆବଶ୍ୟକତା ରହିଛି, ଯେଉଁମାନେ ସବୁ ସମ୍ଭାବନାକୁ ସାଥୀରେ ନେଇ ପ୍ରଗତି ସହ ତାଳ ଦେଇ ଆଗକୁ ବଢିପାରିବେ । ପ୍ରଗତିଶୀଳ ସବୁ ସମ୍ଭାବନାକୁ ସାକାରର ରୂପ ଦେଇପାରିବେ । ଏଥିପାଇଁ ଭାରତ ଜି-୨୦ ପ୍ରେସେଡିନ୍ସି ପ୍ରତିବଦ୍ଧ ।  

ଆସନ୍ତାକାଲି ଅନୁଷ୍ଠିତ ସମ୍ମିଳନୀରେ ଶିଳ୍ପ, ସରକାରୀ ସଂସ୍ଥା, ଆଇଟି କମ୍ପାନୀ ଏବଂ ଦକ୍ଷତା ବିକାଶ କ୍ଷେତ୍ରର ବ୍ୟକ୍ତିବିଶେଷ ଓ ଛାତ୍ରଛାତ୍ରୀମାନେ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିବେ ।