ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଦିବଂଗତ ନେତା ନବ ଦାସଙ୍କ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ସୁରେଶ ପୂଜାରୀ । ଝାରସୁଗୁଡ଼ା ସରବାହାଲ ସ୍ଥିତ ଘରେ ପହଞ୍ଚି ନବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ତାଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଲେ କେନ୍ଦ୍ରମନ୍ତ୍ରୀ । ଦୁଃଖ ସମୟରେ ଧୈର୍ଯ୍ୟ ଧରିବାକୁ କହିଛନ୍ତି ଧର୍ମେନ୍ଦ୍ର । ନବ ଦାସଙ୍କ ପୁଅ ବିଶାଳ ଦାସ ଓ ଝିଅ ଦୀପାଳୀ ଦାସଙ୍କୁ ଭେଟି ସମବେଦନା ଜଣାଇଛନ୍ତି ଧର୍ମେନ୍ଦ୍ର । ସମ୍ବଲପୁର ସାଂସଦ ସୁରେଶ ପୂଜାରୀ, ରେଂଗାଲୀ ବିଧାୟକ ନାଉରୀ ନାୟକ ଓ ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ମଧ୍ୟ ବିଶାଳ ଓ ଦୀପାଳୀଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।
ଗତ ମାସ ୨୯ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ଅବସରରେ ନବ ଦାସଙ୍କୁ ଏଏସଆଇ ଗୋପାଳ କୃଷ୍ଣ ଦାସ ଗୁଳି କରି ହତ୍ୟା କରିଥିଲେ । ନବ ଦାସଙ୍କ ଅକସ୍ମାତ ଦେହାନ୍ତ ହେବା ପରେ, ତାଙ୍କ ପରିବାର ଉପରେ ଯେମିତି ପାହାଡ ଛିଡି ପଡିଛି । ନବ ଦାସଙ୍କ ବିଶାଳ ବ୍ୟବସାୟିକ ସାମ୍ରାଜ୍ୟ ଓ ରାଜନୈତିକ ସାମ୍ରାଜ୍ୟର ଦାୟିତ୍ୱ ଏବେ ଭାଇ-ଭଉଣୀଙ୍କ କାନ୍ଧରେ ।
ସେହିପରି ବ୍ରଜରାଜନଗରର ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପରିବାର ତଥା ବର୍ତମାନର ବିଧାୟିକା ଅଳକା ମହାନ୍ତିଙ୍କୁ ମଧ୍ୟ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ । ୨୦୨୧ ଡିସେମ୍ବର ୩୦ରେ କିଶୋର ମହାନ୍ତିଙ୍କର ଦେହାନ୍ତ ହୋଇଥିଲା । ତାପରେ ହୋଇଥିବା ଉପନିର୍ବାଚନରେ ତାଙ୍କ ପତ୍ନୀ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ।