ଭୁବନେଶ୍ବର: ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ସଅଳ ନୀତି ଆରମ୍ଭ ହୋଇଛି। ଏ ନୀତି ଭାରି ବିଚିତ୍ର। ଯେତେବେଳେ ସମଗ୍ର ସଂସାର ଦେହ ପାଣି କରି ଦେଉଥିବା ଜାଡ଼ରେ ଥରୁଥାଏ ସେତେବେଳେ ମହାପ୍ରଭୁ ଲିଙ୍ଗରାଜ ଅତି ପ୍ରତ୍ୟୁଷରୁ ଉଠି ତାଙ୍କର ସମସ୍ତ ନୀତିକାନ୍ତି ସାରିଦିଅନ୍ତି। ହଁ, ଏ ମାସ ହେଲା ପବିତ୍ର ଧନୁର୍ମାସ। ସୂର୍ଯ୍ୟଙ୍କ ଧନୁ ରାଶିକୁ ଚଳନରେ ଧନୁ ମାସ ହୁଏ। ପ୍ରଖରତର ଶୀତର ମାସ ହେଲା ଏହି ଧନୁର୍ମାସ। ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପୂର୍ବଦିନ ବା ନବାଙ୍କ ବେଢା ଯାଏଁ ଏହି ସଅଳ ନୀତି ଅନୁଷ୍ଠିତ ହୋଇଥାଏ । ଏହି ମାସ ଯାକ ଶ୍ରୀ ଭୁବନେଶ୍ବର ମହାପ୍ରଭୁଙ୍କ ବ୍ରାହ୍ମ ମୁହୂର୍ତ୍ତରୁ ମଙ୍ଗଳ ଆଳତି ହୋଇ ମହାପ୍ରଭୁଙ୍କ ଅବକାଶ ନୀତି ଆରମ୍ଭ ହୁଏ। ଦନ୍ତ ଧାବନ, ସ୍ନାନ, ଗଜପତିଙ୍କ ନାମରେ ଜଳଲାଗି ପରେ ଖୁବ୍ କମ୍ ସମୟ ପାଇଁ ସାହାଣମେଲା ଅନୁଷ୍ଠିତ ହୋଇଥାଏ। ଏ ବେଳକୁ ସକାଳ ୬ଟା ୩୦ ହୋଇଯାଏ। ଏହାପରେ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥାଏ। ଏହା ସଙ୍ଗେ ସଙ୍ଗେ ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା ଅନୁଷ୍ଠିତ ହୁଏ। ଏହା ପରେ ମହାପ୍ରଭୁଙ୍କ ବେଶ ଅନୁଷ୍ଠିତ ହୋଇଥାଏ। ବେଶ ହୋଇସାରିବା ପରେ ବଲ୍ଲଭ ଭୋଗ ହୋଇଥାଏ। ଏହି ପୌଷ ମାସର ବିଶେଷତ୍ଵ ଗଇଁଠା କ୍ଷୀରି ଭୋଗ ଯାହା ଏହି ବଲ୍ଲଭରେ ଲାଗି ହୁଏ।ବଲ୍ଲଭ ପରେ ସକାଳଧୂପ ନୀତି ଆରମ୍ଭ ହୁଏ। ମହାପ୍ରଭୁଙ୍କ ସକାଳଧୂପ ପରେ ଠାକୁରାଣୀଙ୍କ ସକାଳଧୂପ ଅନୁଷ୍ଠିତ ହୋଇଥାଏ। ଏହାପରେ ଛତ୍ର ଭୋଗ ବା ଭୋଗମଣ୍ଡପ ନୀତି ଅନୁଷ୍ଠିତ ହୋଇଥାଏ। ଭୋଗ ମଣ୍ଡପ ନୀତି ବଢିଲା ବେଳକୁ ସକାଳ ୯ଟା। ଏହା ପରେ ଦିନ ୨ଟା ୩୦ ଯାଏ ସାହାଣମେଲା ଅନୁଷ୍ଠିତ ହୋଇଥାଏ। ଏହାପରେ ପୁନଶ୍ଚ ମହାସ୍ନାନ ହୋଇ ବୀରକେଶରୀ ଭୋଗ, ଦ୍ୱିପ୍ରହର ଧୂପ ଆଦି ପରବର୍ତ୍ତୀ ନୀତି ମାନ ଆଗକୁ ବଢେ। ଏହି ମାସ ସଅଳ ପହୁଡ ହୋଇଯାଏ। ସନ୍ଧ୍ୟା ୭.୩୦ ବେଳକୁ ବଡ଼ସିଂହାର ନୀତି ଆରମ୍ଭ ହୋଇ ମହାପ୍ରଭୁଙ୍କ ପହୁଡ ପଡ଼େ। ଏହି ମାସ ଭାରି ପବିତ୍ର ମାସ। ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ଅଭିଷେକ ଆଦି କରିଲେ ଭକ୍ତମାନେ ଅଶେଷ ପୁଣ୍ୟ ଫଳ ପ୍ରାପ୍ତ କରିଥାନ୍ତି। ଏସବୁ ନୀତିଗୁଡ଼ିକର ଉଦ୍ଦେଶ୍ୟ ହେଉଛି, ପ୍ରଖର ଶୀତରେ ଆଳସ୍ୟ ନ ଘେନି କର୍ମଠ ହୁଅ। ଯାହା ଆମକୁ ଏହି ନୀତିକାନ୍ତିର ମାନ ସୂଚେଇ ଥାଏ। ଆଉ ଏକ କଥା ସ୍ନାନର ମହତ୍ତ୍ୱ ବ୍ରାହ୍ମ ମୁହୂର୍ତ୍ତରେ ଅଧିକ। ଶୀତଦିନେ ବଡ଼ି ଭୋର୍ରୁ ଗାଧୋଇଲେ ଯେତିକି ଶୀତ ଲାଗେନି ସୂର୍ଯ୍ୟୋଦୟ ସମୟରେ ଗାଧୋଇଲେ ବେଶୀ ଶୀତ ଲାଗେ । ତେଣୁ ବଡ଼ି ଭୋର୍ରୁ ସ୍ନାନ କଲେ ଉତ୍ତମ। ଅନ୍ୟ ଏକ କାରଣ ହେଲା, ଏହି ସମୟ ଧାନ ଫସଲ ଅମଳର ସମୟ । ତେଣୁ ଅଳସୁଆ ନ ହୋଇ ଶୀଘ୍ର ଉଠି ନିଜ କର୍ମକୁ ଆରମ୍ଭ କରିବାକୁ ହୁଏ। ଏହି ମାସ ଆମକୁ ପ୍ରେରଣା ଦେଇଥାଏ। ନହେଲେ ମାସକ ଆଳସ୍ୟ ଯୋଗୁଁ ସାରା ବର୍ଷ ଭୋକିଲା ରହିବାକୁ ପଡ଼େ।