ଧାମନଗର ଟକ୍କର: ତିନିଦଳର ଯୋଦ୍ଧା ତୟାର

ଭୁବନେଶ୍ୱର: ଧାମନଗର ଯୁଦ୍ଧ ପାଇଁ ତିନିଦଳର ଯୋଦ୍ଧା ପ୍ରସ୍ତୁତ । ପ୍ରାର୍ଥୀଙ୍କ ନାମ ଚୁଡ଼ାନ୍ତ ହେବା ପରେ ଉଷ୍ମ ହୋଇଛି ରାଜନୀତି । ପୂର୍ବଘୋଷିତ ବିଜେପିର ପ୍ରାର୍ଥୀ ତଥା ଦିବଂଗତ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜ୍ ଇତିମଧ୍ୟରେ ପ୍ରଚାର ଆରମ୍ଭ କରିଥିଲାବେଳେ ବୁଧବାର ବିଜେଡି ଓ କଂଗ୍ରେସ ନିଜ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ବାବା ହରେକୃଷ୍ଣ ସେଠୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲାବେଳେ ତିହିଡ଼ିି ବ୍ଲକ୍ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି । ତେବେ ଅବନ୍ତୀଙ୍କ ପ୍ରାର୍ଥୀତ୍ୱ ବିରୋଧୀଙ୍କ ହିସାବକୁ ବିଗାଡ଼ି ଦେଇଛି । କାରଣ ବିଜେଡି ଟିକେଟ୍ ପାଇଁ ଦୁଇ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଓ ମୁକ୍ତିକାନ୍ତ ମଣ୍ଡଳ ପ୍ରବଳ ଦାବିଦାର ଥିଲେ । ନୂଆଚେହେରା ଡାକ୍ତର ସଞ୍ଜୟ ଦାସଙ୍କୁ ମଧ୍ୟ କେତେକ ପ୍ରାର୍ଥୀ କରିବା ପାଇଁ କହୁଥିଲେ । ହେଲେ ଆଲୋଚନା ଓ ପର୍ଯ୍ୟାଲୋଚନାର ଅନ୍ତ ଘଟାଇ ସୁପ୍ରିମୋ ଆଦୌ ଚର୍ଚ୍ଚାରେ ନଥିବା ଅବନ୍ତୀଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଶାସକ ବିଜେଡିର ଏହା ‘ମାଷ୍ଟର ଷ୍ଟ୍ରୋକ୍‌’ ବୋଲି ଚର୍ଚ୍ଚା ଜୋର୍ ଧରିଛି ।
ଧାମନଗର ଉପନିର୍ବାଚନ ଟିକେଟ୍ ପାଇଁ ଆରମ୍ଭରୁ ବିଜେଡି ଓ କଂଗ୍ରେସର ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଲମ୍ବା ଥିଲା । ଟିକେଟ୍ ପାଇଁ ପ୍ରାର୍ଥୀମାନେ ରାଜଧାନୀରେ ଡେରା ପକାଇଥିଲେ । ବିଜେପିରୁ ଏକମାତ୍ର ସୂରଜ୍‌ଙ୍କ ନାମ ପ୍ରଚାର ହେଉଥିବାବେଳେ ବିଜେଡିରୁ ୭ ଓ କଂଗ୍ରେସରୁ ୫ ଜଣଙ୍କ ନାମ ଉପରେ ଦଳର ଛାମୁଆ ନେତାମାନେ ତର୍ଜମା କରିଥିଲେ । ଶେଷରେ ବିଜେଡି ବହୁ ଭାବିଚିନ୍ତି ତିହିଡ଼ି ବ୍ଲକ୍ ଅଧ୍ୟକ୍ଷା ଅବନ୍ତୀଙ୍କୁ ପ୍ରାର୍ଥୀ କରିଛି । ମହିଳା ଏସ୍‌ଏଚ୍‌ଜି ଗଠନ ଓ ମିଶନଶକ୍ତି କାର୍ଯ୍ୟକ୍ରମରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି । ଅବନ୍ତୀଙ୍କ ମାଧ୍ୟମରେ ମହିଳା ଭୋଟ୍‌କୁ ହାତେଇବା ଯୋଜନା କରିଛି ଦଳ । ଆହୁରିମଧ୍ୟ ତାଙ୍କର ତିହିଡ଼ି ବ୍ଲକ୍‌ରେ ବେଶ୍ ଦବ୍‌ଦବା ରହିଛି । ଏଥିସହ ସେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ସମର୍ଥକ ବୋଲି ଆଲୋଚନା ହେଉଛି । ନାମଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଅବନ୍ତୀ । ସହମତି ଭିତ୍ତିରେ ପ୍ରାର୍ଥୀ ଚୟନ ପାଇଁ ବିଜେଡି ନେତୃତ୍ୱ ବୁଧବାର ଭୁବନେଶ୍ୱରରେ ଆଲୋଚନା କରିଥିଲେ । ପୂର୍ବତନ ବିଧାୟକ ରାଜେନ୍ଦ୍ର କହିଛନ୍ତି, ଅବନ୍ତୀ ମୋ ସମ୍ପର୍କୀୟ । ତାଙ୍କ ବିଜୟ ପାଇଁ ସମ୍ପୂୂର୍ଣ୍ଣ ସହଯୋଗ ରହିବ ।
ଅନ୍ୟପକ୍ଷରେ ଧାମନଗରରେ କଂଗ୍ରେସର ଯୋଦ୍ଧା ସାଜିଛନ୍ତି ବାବା ହରେକ୍‌ୃଷ୍ଣ ସେଠୀ । ପେସାରେ ଓକିଲ୍ ଓ ନିଶାରେ ରାଜନେତା ହରେକୃଷ୍ଣଙ୍କୁ ଦଳ ପସନ୍ଦ କରିଛି । ଏଆଇସିସି ସାଧାରଣ ସମ୍ପାଦକ ମୁକୁଲ ୱାସନିକ ତାଙ୍କ ନାଁ ଘୋଷଣା କରିଛନ୍ତି । ପ୍ରାର୍ଥୀ ଭାବେ ମନୋନୀତ ହେବା ପରେ ହରେକୃଷ୍ଣ ହାଇକମାଣ୍ଡ ସୋନିଆ ଗାନ୍ଧି, ନେତା ରାହୁଲ ଗାନ୍ଧି, ପିସିସି ସଭାପତି ଓ ଭଦ୍ରକ ଜିଲ୍ଲା ସଭାପତିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆସନ୍ତା ନିର୍ବାଚନରେ ସେ ବିଜୟୀ ହେବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି । ଛାତ୍ର ଜୀବନରୁ ସେ ଅତ୍ୟନ୍ତ ପରୋପକାରୀ ଏବଂ ସମାଜସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି । ଦୀର୍ଘ ବର୍ଷରୁ କଂଗ୍ରେସ ଦଳର ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟକରିଛନ୍ତି । ବର୍ତ୍ତମାନ ସେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ଧାମନଗର ବ୍ଲକ୍ ସଂଯୋଜକ ଭାବେ କାର୍ଯ୍ୟ କରୁଛନ୍ତି । ଗତ ପୌର ନିର୍ବାଚନରେ ତାଙ୍କ ପତ୍ନୀ ପ୍ରମିଳା ସେଠୀ ଧାମନଗର ଏନ୍‌ଏସିର ଅଧ୍ୟକ୍ଷା ପାଇଁ କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଲଢ଼ିଥିଲେ । ତାଙ୍କୁ ପ୍ରାର୍ଥୀ କରି ଲଢ଼େଇ ପାଇଁ ପ୍ରସ୍ତୁତ ବୋଲି କଂଗ୍ରେସ ଦମ୍ଭୋକ୍ତି ପ୍ରକାଶ କରିଛି । ବିଜେପିର ସୂର୍ଯ୍ୟବଂଶୀ ସୂରଜ ପ୍ରଚାର ଆରମ୍ଭ କରିଛନ୍ତି । ଦଳର ପୂରା ଟିମ୍ ଏଠାରେ ଏକାଠି ହୋଇ ଉପନିର୍ବାଚନକୁ ଜୋରଦାର ଢଙ୍ଗରେ ଲଢ଼ିବ ବୋଲି ସଙ୍କେତ ଦେଇଛି । ଚର୍ଚ୍ଚାହେଉଛି, ବିଜେଡି ପ୍ରାର୍ଥୀ ଅବନ୍ତୀ ଓ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ମଧ୍ୟରେ ସିଧାସଳଖ ଟକ୍କର ହୋଇପାରେ । କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ନିର୍ଣ୍ଣାୟକ ଭୂମିକାରେ ଅବତ୍ତୀର୍ଣ୍ଣ ହୋଇପାରନ୍ତି । ଆଗାମୀ ନଭେମ୍ବର ୩ରେ ହେବାକୁ ଥିବା ଭୋଟ୍‌ରେ ସ୍ଥିତି କ’ଣ ହେବ ତାହା ଉପରେ ରହିଛି ସମସ୍ତଙ୍କର ନଜର । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ନିର୍ବାଚନ ତିନି ପ୍ରମୁଖଦଳ ପାଇଁ ସମ୍ମାନର ଲଢ଼େଇ ବୋଲି କୁହାଯାଉଛି । ଉପ ନିର୍ବାଚନରେ ଅପରାଜେୟ ରେକର୍ଡ ରଖିଥିବା ବିଜେଡିପାଇଁ ଧାମନଗର ଦଖଲ ସାଧାରଣ ନିର୍ବାଚନପୂର୍ବରୁ ବୁଷ୍ଟର୍ ଭଳି କାମ କରିବ ବୋଲି ଆକଳନ କରାଯାଇଛି । ସେହିଭଳି ବିଜେପି ହାତରେ ଥିବା ଏହି ଆସନକୁ ସୁରକ୍ଷିତ ରଖିନପାରିଲେ, ଏହାର ସାଇଡ୍ ଇଫେକ୍ଟ ଆଗାମୀ ଦିନରେ ଅନୁଭୂତ ହେବ ବୋଲି ଦଳୀୟମହଲରେ ଆଶଙ୍କା ପ୍ରକାଶ ପାଇଛି ।
ଉଲ୍ଲେଖନୀୟ ଯେ ସେପ୍ଟେମ୍ବର ୧୯ରେ ବିରୋଧୀଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କର ଅକାଳ ବିୟୋଗ ଯୋଗୁଁ ଏହି ସରଂକ୍ଷିତ ଆସନ ଖାଲିରହିଛି । ଏଥିପାଇଁ ନଭେମ୍ବର ୩ରେ ହେଉଛି ଉପନିର୍ବାଚନ । ଅକ୍ଟୋବର ୧୪ ସୁଦ୍ଧା ନାମାଙ୍କନପତ୍ର ଦାଖଲ ଓ ୧୭ ମଧ୍ୟରେ ପ୍ରାର୍ôଥପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି । ସେହିପରି ନଭେମ୍ବର ୬ରେ ଗଣତି ହେବ । ୮ ତାରିଖ ସୁଦ୍ଧା ଉପନିର୍ବାଚନ ପ୍ରକ୍ରିୟା ଶେଷ ହେବ । ପ୍ରାୟ ୨.୩୮ ଲକ୍ଷ ଭୋଟର ନିଜର ମତ ସାବ୍ୟସ୍ତ କରିବେ ।