ଧାମନଗର ଉପନିର୍ବାଚନ: ଜନସମ୍ପର୍କ ପଦଯାତ୍ରା ବନାମ କର୍ମୀ ଯୋଡ଼ ବୈଠକ

ଭୁବନେଶ୍ୱର୍‌: ଧାମନଗର ଉପନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପରେ ରାଜନୀତି ଉଷ୍ଣ । ମୁହାଁମୁହିଁ ସ୍ଥିତିରେ ତିନି ପ୍ରମୁଖ ଦଳ ବିଜେଡି,କଂଗ୍ରେସ ଓ ବିଜେପି । ହେଲେ ଶାସକ ବିଜେଡିର ଜନସମ୍ପର୍କ ପଦଯାତ୍ରା ଓ ବିରୋଧୀ କଂଗ୍ରେସର କର୍ମୀ ଯୋଡ଼ ବୈଠକ ବେଶ୍ ଚର୍ଚ୍ଚାରେ ।
ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗର ସଂରକ୍ଷିତ ବିଧାନସଭା କ୍ଷେତ୍ରଟି ୧୯୫୧ରେ ସୃଷ୍ଟି ହୋଇଥିଲା । ଏହି ନିର୍ବାଚନ ମଣ୍ଡଳୀରେ ଧାମନଗର ବ୍ଳକ୍ ଓ ତିହିଡ଼ି ବ୍ଳକ୍‌ର କିଛି ଅଞ୍ଚଳ ରହିଛି । ୧୯୫୧ରୁ ୨୦୧୯ ମଧ୍ୟରେ ଉକ୍ତ ଆସନକୁ ସର୍ବାଧିକ ୯ ଥର କଂଗ୍ରେସ ଅକ୍ତିଆର କରିନେଇଛି । ସେହିଅନୁସାରେ ବିଜେପି ୨ ଥର ଓ ଜନତା ଦଳ, ଜନତା ପାର୍ଟି ଓ ବିଜେଡିର ପ୍ରାର୍ଥୀ ବାକି ସମୟ ବିଜୟୀ ହୋଇଛନ୍ତି । ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ମୁକ୍ତିକାନ୍ତ ମଣ୍ଡଳ ବିଜେପି ପ୍ରାର୍ଥୀ ବିଷ୍ଣୁଚରଣ ସେଠୀଙ୍କ ଠାରୁ ୯,୧୯୨ ଖଣ୍ଡରୁ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଥିଲେ ହେଁ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ ବିଜେପିି ପ୍ରାର୍ଥୀ ବିଷ୍ଣୁ ଚରଣ ସେଠୀଙ୍କ ଠାରୁ ୪,୯୪୪ ଅଧିକ ଭୋଟ୍ ପାଇ ହାରିଥିଲେ । ହେଲେ ବିଜେପିର ବରିଷ୍ଠ ନେତା ବିଷ୍ଣୁ ବାବୁଙ୍କ ଅକାଳ ବିୟୋଗ ପରେ ଉପନିର୍ବାଚନ ହେଉଛି । ତେଣୁ ସବୁ ପ୍ରମୁଖ ଦଳ କମର କସିଦେଇଛନ୍ତି ।
ଶାସକ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଧାମନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୋବଲ ସ୍ଥିତ କାଳୀ ପଡିଆରୁ ପଦଯାତ୍ରା ବାହାରି ଦୋବଲ୍ ଜୋନ୍‌ର ବିଭିନ୍ନ ପଞ୍ଚାୟତକୁ ଯାଇ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିଛନ୍ତି । ଜନସମ୍ପର୍କ ପଦଯାତ୍ରାରେ ଅବକାରୀ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ବିଜେଡି ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ସମେତ ବହୁ ତୁଙ୍ଗ ନେତା ସାମିଲ ହୋଇଛନ୍ତି । ଏଥିରେ ବି ସ୍ଥାନୀୟ ଜନସାଧାରଣଙ୍କୁ ବି ସାମିଲ କରାଯାଇଛି । ସେହିପରି ଦଳର ନେତାମାନେ ତୃଣମୂଳସ୍ତରର କର୍ମୀଙ୍କୁ ନେଇ ବୈଠକ ଓ ସମାବେଶ ଆରମ୍ଭ କରିଛନ୍ତି । ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଧାମନଗର ନିର୍ବାଚନମଣ୍ଡଳୀର ଦୋବଲ ଓ ଅସୁରାଳି ଅଞ୍ଚଳରେ କର୍ମୀ ସମ୍ମିଳନୀ କରିବା ସହ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଆହ୍ୱାନ ଦେଇଛନ୍ତି । କଲ୍ୟାଣୀ ପଞ୍ଚାୟତରେ ଆୟୋଜିତ କର୍ମୀ ସମ୍ମିଳନୀରେ ବିଜେଡି ନେତା ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ରାଜ୍ୟସଭା ସାଂସଦ ସୁଲତା ଦେଓ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଧାମନଗରର ସମସ୍ତ ନେତା ଓ କର୍ମୀ ଏକତ୍ରିତ ହେବାକୁ ଆହ୍ୱାନ ଦେଇଛନ୍ତି । ତେବେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ୭ ଜଣଙ୍କ ନାମ ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ନିମନ୍ତେ କଂଗ୍ରେସର ମାନସମନ୍ଥନ ଚାଲିଛି । କର୍ମୀ ଯୋଡ଼ ବୈଠକ ଥରକୁ ଥର ହେଉଛି । କଂଗ୍ରେର ୪ ଜଣିଆ ପ୍ରତିନିଧି ଦଳ ଧାମନଗରରେ ସ୍ଥାନୀୟ ବରିଷ୍ଠ ନେତା ଓ କର୍ମୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ପ୍ରତିନିଧି ଦଳରେ କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ପୂର୍ବତନ ବିଧାୟକ ଚିନ୍ମୟ ବେହୁରିଆଙ୍କ ସମେତ ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ ବୈଠକରେ ଉପସ୍ଥିତ ଥିଲେ । ତୃଣମୂଳସ୍ତରରୁ ସଂଗୃହୀତ ହୋଇଥିବା ରିପୋର୍ଟ ଦଳୀୟ ହାଇକମାଣ୍ଡଙ୍କୁ ଦିଆଯାଇଛି । ହରେକୃଷ୍ଣ ସେଠୀ, ହୃଦାନନ୍ଦ ସେଠୀ, ବିଦ୍ୟାଧର ଜେନା, ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ପୂର୍ବତନ ସାଂସଦ ମୁରଲୀଧର ଜେନାଙ୍କ ସାମ୍ଭାବ୍ୟ ପ୍ରାର୍ôଥତ୍ୱ ଉପରେ କଂଗ୍ରେସ ପ୍ରତିନିଧି ମଣ୍ଡଳି ଆଲୋଚନା କରିଥିବା ଜଣାପଡ଼ିଛି । ଚଳିତ ମାସ ୧୦ ତାରିଖ ସୁଦ୍ଧା କଂଗ୍ରେସର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି । ହେଲେ ବିଜେପିର ଏକମାତ୍ର ପ୍ରାର୍ଥୀ ସୂରଜଙ୍କ ନାମ ସୋଶିଆଲ ମିଡିଆରେ ଘୁରିବୁଲୁଛି । ସେ ଦିବଂଗତ ବିଷ୍ଣୁ ଚରଣ ସେଠୀଙ୍କ ପୁଅ ହୋଇଥିବାରୁ ଅନୁକମ୍ପା ଭୋଟ୍ ନିର୍ଣ୍ଣାୟକ ହେବ ବୋଲିକୁହାଯାଉଛି ।