ଧାମନଗର ଉପନିର୍ବାଚନ: ଡାକଭୋଟ୍ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ,୨୦ଟି ଟିମ୍ ନିୟୋଜିତ

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ମତଦାନ ପାଇଁ ବୁଥ୍‌କୁ ଯିବା ପାଇଁ ଅସମର୍ଥ ଥିବା ୮୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଓ ଦିବ୍ୟାଙ୍ଗ ଭୋଟରମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଡାକ ଭୋଟ୍ ବ୍ୟବସ୍ଥାରେ ମତଦାନ ସଂଗ୍ରହ ପାଇଁ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ସଦ୍‌ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରଶିକ୍ଷଣ ବୈଠକରେ ସାଧାରଣ ପର୍ଯ୍ୟବେକ୍ଷକ ନିରଞ୍ଜନ କୁମାର, ଡାକ ଭୋଟ୍ ଦାୟିତ୍ୱରେ ଥିବା ଉପଜିଲ୍ଲାପାଳ ମନୋଜ ପାତ୍ର, ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଉପଜିଲ୍ଲାପାଳ ଡ଼. ଲକ୍ଷ୍ମୀ ପ୍ରସାଦ ସାହୁ, ସହକାରୀ ଜିଲ୍ଲାପାଳ(ନିର୍ବାଚନ) କସ୍ତୁରୀବାଳା ଜେନା ପ୍ରମୁଖ ଯୋଗ ଦେଇଥିଲେ । ଡାକ ଭୋଟ ବ୍ୟବସ୍ଥାରେ ମତଦାନ କରିବା ପାଇଁ ୧୨ ଡି’ଫର୍ମରେ ଆଗୁଆ ସ୍ୱୀକୃତି ଦେଇଥିବା ଭୋଟରମାନଙ୍କ ଘରକୁ ଯାଇ ପୋଲିଂ ଦଳ ମତଦାନ ସଂଗ୍ରହ କରିବା ପ୍ରକ୍ରିୟା ସମ୍ବନ୍ଧରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ଅତିରିକ୍ତ ଉପଜିଲ୍ଲାପାଳ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇବା ସହିତ ପ୍ରତ୍ୟକ୍ଷ ଭାବେ ମତଦାନ ପ୍ରକ୍ରିୟା ପ୍ରଦର୍ଶନ କରାଯାଇଥିଲା ।
ପ୍ରତି ପୋଲିଂ ଦଳରେ ଜଣେ ପ୍ରିଜାଇଡିଂ ଅଧିକାରୀ, ଜଣେ ପୋଲିଂ ଅଧିକାରୀ, ଜଣେ ମାଇକ୍ରୋ ଅବ୍‌ଜର୍‌ଭର୍ ଜଣେ ପୁଲିସ୍ ରହିବାର ବ୍ୟବସ୍ଥା ଅଛି । ସମସ୍ତ କାର୍ଯ୍ୟକ୍ରମର ଭିଡିଓଗ୍ରାଫି କରାଯିବ । ପୂର୍ବ ପ୍ରସ୍ତୁତିରେ ରୁଟ୍ ଚାର୍ଟ ଅନୁଯାୟୀ ବିଏଲ୍‌ଓ ମତଦାତାଙ୍କ ଘର ଦେଖାଇବେ । ସକାଳ ୮ଟାରୁ ଅପରାହ୍ନ ୪ଟା ମଧ୍ୟରେ ଏହି ଭୋଟ୍ ଗ୍ରହଣ କରାଯିବ । ରାଜନୈତିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀମାନେ ତାଙ୍କ ଏଜେଣ୍ଟ ପଠାଇବା ପାଇଁ ଅବଗତ କରାଯିବ । ଅକ୍ଟୋବର ୨୨ ଓ ୨୩ ଦୁଇ ଦିନରେ ଏହି ଡାକ ଭୋଟ୍ ବ୍ୟବସ୍ଥାରେ ମତଦାନ ସଂଗ୍ରହ କରାଯିବ । ଜଣେ ମତଦାତା ପ୍ରଥମ ଥର ଉପଲବ୍‌ଧ ନହେଲେ ଦ୍ୱିତୀୟ ଦିନରେ ଆଉ ଥରେ ସୁଯୋଗ ଦିଆଯିବ । ଏହି ଭୋଟ୍ ବ୍ୟବସ୍ଥାରେ ମତଦାତା ଇଭିଏମ୍ ନୁହେଁ, ବାଲାଟ୍ ପେପରରେ ମୋହର ନୁହେଁ କଲମଦ୍ୱାରା ନିଜ ପସନ୍ଦର ପ୍ରାର୍ଥୀଙ୍କ ଚିହ୍ନରେ ଚିହ୍ନ ଦେଇ ମତଦାନ କରିବେ । ଏଥିପାଇଁ ମତଦାତାଙ୍କ ଘର ଭିତରେ ଭୋଟିଂ କମ୍ପାଟ୍‌ମେଣ୍ଟ ପ୍ରସ୍ତୁତ କରାଯିବ । ଏହି ମତଦାନ ସଂଗ୍ରହ ପାଇଁ ୨୨ ତାରିଖ ସକାଳ ୭ଟାରେ ପୋଲିଂ ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଭୋଟ୍ ବାକ୍ସ ଓ ଅନ୍ୟାନ୍ୟ ଉପକରଣ ନେଇ ବାହାରିବେ । ପ୍ରତିଦିନ ଭୋଟ୍ ସଂଗ୍ରହ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଫେରିବେ ଓ ଟ୍ରେଜେରୀରେ ଭୋଟ୍ ସବୁ ଗଚ୍ଛିତ ରହିବ । ଧାମନଗର ଉପ ନିର୍ବାଚନ ପାଇଁ ୫୦୫ ଜଣ ଭୋଟର୍ ଏହି ବ୍ୟବସ୍ଥାରେ ଡାକଭୋଟ୍ ଦେବା ପାଇଁ ଆଗୁଆ ସ୍ୱୀକୃତି ପ୍ରଦାନ କରିଛନ୍ତି ।
ଅପରପକ୍ଷେ ଭୋଟ ଗ୍ରହଣ ଦିନ ସମସ୍ତ ଭୋଟର୍ ଯେପରି ଭୋଟ ଦିଅନ୍ତି ସେ ଦିଗରେ ନିର୍ବାଚନ ଆୟୋଗର ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ଦ୍ୱାରା ବିଭିନ୍ନ ଦିଗରେ ଭୋଟରମାନଙ୍କୁ ସଚେତନ କରାଯାଉଛି । ଏହି ନିର୍ବାଚନରେ ମତଦାନ ଲାଗି ବୁଥ୍‌କୁ ଆଦୌ ଯାଇ ନପାରିବା ଅବସ୍ଥାରେ ଥିବା ୮୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ବୟସ୍କ ଦିବ୍ୟାଙ୍ଗ ଭୋଟର ମାନଙ୍କ ପାଇଁ ଥିବା ଡ଼ାକ ଭୋଟ ବ୍ୟବସ୍ଥା, ଗର୍ଭବତୀ, ଭିନ୍ନକ୍ଷମ, ୮୦ବର୍ଷ ବୟସରୁ ଊର୍ଦ୍ଧ୍ୱ ସ୍ୱାଭାବିକ ଭାବେ ବୁଥ୍‌କୁ ଯାଇ ନ ପାରିବା ଭୋଟରମାନଙ୍କ ଲାଗି ବାହନ ପାସ ବ୍ୟବସ୍ଥା, ଏପରିକି ସମସ୍ତ ଭୋଟର ନିର୍ଭୟରେ ନିରପେକ୍ଷ ଭାବେ ନିଜର ମତଦାନ କରନ୍ତୁ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ନିବେଦନ ଆଦି ବିଭିନ୍ନ ଗଣମାଧ୍ୟମ ଜରିଆରେ ପ୍ରଚାର କରାଯାଇଛି । ଏହି ପରିପ୍ରେକ୍ଷୀରେ ଏସ୍‌ଭିଇଇପି ଯୋଜନାରେ ଶତପ୍ରତିଶତ ଭୋଟରଙ୍କ ମତଦାନ ଉଦ୍ଦେଶ୍ୟରେ ଏକ ସଚେତନତା ରଥ ପରିକ୍ରମା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଦ୍ୱାରା ରଥର ଉଦ୍‌ଘାଟନ କରାଯାଇଥିଲା । ଦୁଇ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଏବଂ ଶାନ୍ତନୁ କୁମାର ମହାନ୍ତି, ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଉପଜିଲ୍ଲାପାଳ ଡ଼. ଲକ୍ଷ୍ମୀ ପ୍ରସାଦ ସାହୁ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦ କୁଶଳ ଚନ୍ଦ୍ର ନାୟକ, ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଶୁଭେନ୍ଦୁ ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ ପ୍ରମୁଖ ଏହି ଉଦ୍‌ଘାଟନୀ ପର୍ବରେ ଉପସ୍ଥିତ ଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ପ୍ରଦତ୍ତ ନିର୍ବାଚନରେ ଭୋଟର ସଚେତନତା ନେଇ ସଂଗୀତ ଆକାରରେ ବିଜ୍ଞାପନ ସହ ଭଦ୍ରକ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରସ୍ତୁତ ଚକୁଳିଆ ପଣ୍ଡା ସ୍ୱରରେ ଏକ ଭୋଟର ସଚେତନ ଧର୍ମୀ ସଂଗୀତକୁ ଏହି ରଥରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପରିବେଷଣ କରାଯାଉଛି । ଏହି ରଥ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧାମନଗର ବ୍ଲକ୍ ଓ ତିହିଡ଼ି ବ୍ଲକ୍‌ରେ ପରିକ୍ରମା କରିବା କାର୍ଯ୍ୟସୂଚୀ ରହିଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ଭୋଟର ସଚେତନତା ମୂଳକ ପ୍ରଚାର ପତ୍ର ଏହି ରଥ ପରିକ୍ରମା ସମୟରେ ବିତରଣ କରାଯାଇଛି ଏବଂ ପୋଷ୍ଟର ସବୁ ସଚେତନତା ଉଦ୍ଦେଶ୍ୟରେ ବିଭିନ୍ନ ଜନସମାବେଶ ସ୍ଥାନଗୁଡ଼ିକରେ ବ୍ଲକ୍ ପ୍ରଶାସନ ଦ୍ୱାରା ଲଗାଯିବାର କାର୍ଯ୍ୟସୂଚୀ ରହିଛି । ପରିକ୍ରମା କରୁଥିବା ରଥ ଦେହରେ ମଧ୍ୟ ଧାମନଗର ଉପନିର୍ବାଚନରେ ମତଦାନ ଗ୍ରହଣ ପାଇଁ ଦିନ, ସମୟ, ମତଦାନ ଲାଗି ବିକଳ୍ପ ପରିଚୟ ପତ୍ର ଓ ଅନ୍ୟାନ୍ୟ ବିଭିନ୍ନ ସୂଚନା ଉଲ୍ଲେଖ କରାଯାଇଛି ।

Dhamnagar bypoll: Preparations for postal vote final