ଧାମନଗର ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ

ଭଦ୍ରକ ଜିଲ୍ଲା ଧାମନଗରର ବିଜେପି ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କର ଆଜି ସକାଳେ ପରଲୋକ ହୋଇଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି I ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୧ ବର୍ଷ ବୟସ ହୋଇଥିଲା ।

ବିଷ୍ଣୁ ସେଠୀ ପ୍ରାୟ ବର୍ଷେ ହେଲା କିଡନୀ ରୋଗରେ ପୀଡ଼ିତ ଥିଲେ। ତାଙ୍କର ନିୟମିତ ଡାଇଲିସିସ୍ ଚାଲିଥିଲା। ତେବେ ମାସକ ତଳେ ତାଙ୍କର ଲଙ୍ଗ୍ସ ସଂକ୍ରମଣ ଓ ବ୍ରେନ୍ ଷ୍ଟ୍ରୋକ୍ ହେବାରୁ ତାଙ୍କୁ ICUରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ପ୍ରଥମେ ତାଙ୍କର ହୃଦଘାତ ହୋଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୭.୩୫ ରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ଏମ୍ସର ଆଡିସନାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଭାସ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି। ବିଷ୍ଣୁ ସେଠୀଙ୍କ ପତ୍ନୀଙ୍କ ସମେତ ପୁଅ ଓ ଝିଅ ଅଛନ୍ତି ।

ବିଷ୍ଣୁ ସେଠୀ ବିଜେପି ବିଧାୟକ ଭାବେ ପ୍ରଥମେ ଚାନ୍ଦବାଲି ଓ ପରେ ଧାମନଗରରୁ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ। ରାଜ୍ୟ ରାଜନୀତିରେ ସେ ବିଜେଡି ସରକାରଙ୍କର ଜଣେ କଡା ସମାଲୋଚକ ଭାବେ ପରିଚିତ ଥିଲେ। ଜଣେ ରାଜନେତା ବାଦ୍‌ ସେ ଜଣେ ସାହିତ୍ୟିକ ଭାବେ ମଧ୍ୟ ବେଶ୍‌ ପରିଚିତ ଥିଲେ।

ପିଲାଦିନୁ ରାଜନୀତି ପ୍ରତି ବିଷ୍ଣୁ ସେଠୀଙ୍କ ବେଶ୍‌ ଆଗ୍ରହ ଥିଲା । ଓଡିଶା ପ୍ରଶାସନିକ ସେବା ପାଇଁ ମନୋନୀତ ହୋଇଥିଲେ ବି ସେ ଚାକିରିରେ ଯୋଗଦେଇନଥିଲେ । ପରେ ସେ ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ଦିନ୍‌ ଦୟାଲ ଉପାଧ୍ୟାୟଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦେଇଥିଲେ । ଆଉ ଦଳକୁ ସୁଦୃଢ କରିବାରେ ଲାଗିପଡିଥିଲେ । ୨୦୦୦-୨୦୦୪ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୦୪ ନିର୍ବାଚନରେ ସେହି ଆସନରୁ ସେ ପରାଜିତ ହୋଇଥିଲେ । ୨୦୦୬ରେ ଓଡିଶା କାଜୁ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

ଏହା ପରେ ୨୦୦୯ ଓ ୨୦୧୪ ନିର୍ବାଚନରେ ଭଦ୍ରକ ଧାମନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚନ ଲଢିଥିଲେ । କିନ୍ତୁ ସେ ପରାଜିତ ହୋଇଥିଲେ । ଶେଷରେ ୨୦୧୯ରେ ଧାମନଗର ଆସନରୁ ନିଜ ପ୍ରତିଦ୍ୱନ୍ଦୀଙ୍କୁ ଚେକ୍‌ ଦେଇ ବିଜୟୀ ହୋଇଥିଲେ । ବିଜେପି ଦଳର ଜଣେ ଟାଣୁଆ ବିଧାୟକ ଭାବେ ବିଧାନସଭାରେ ଓ ବାହାରେ କ୍ଷମତାସୀନ ସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ କରିଥିଲେ । ସମୟ ସମୟରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରୁଥିଲେ । ବିଜେପିର ଦକ୍ଷ ନେତା ଭାବେ ବେଶ୍‌ ଜଣାଶୁଣା ବିଷ୍ଣୁ ସେଠୀଙ୍କ ବିୟୋଗରେ ତାଙ୍କ ନିର୍ବାଚନ ମଣ୍ଡଳୀ ଧାମନଗର ସମେତ ଭଦ୍ରକ ଓ ସାରାରାଜ୍ୟର ବହୁ ଅନୁଗାମୀ ଏବଂ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।