ଧାମନଗର : ବୁଥ୍ ସାମ୍ନାରେ ଯୁବକଙ୍କୁ ଛୁରା ମାଡ଼

ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ପରିଷଦ ଅଂଚଳରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା I ପୁଲିସ୍‌ ଓ ପୁଲିଂ କର୍ମଚାରୀଙ୍କ ଉପସ୍ଥିତିରେ ବୁଥ୍ ସାମ୍ନାରେ ଯୁବକଙ୍କୁ ହୋଇଛି ଛୁରା ମାଡ଼। ଏ ଭଦ୍ରକ ଜିଲ୍ଲା ଧାମନଗର NAC ୯ ନମ୍ବର ୱାର୍ଡ ୧୬ ନମ୍ବର ବୁଥ୍ ସାମ୍ନାରେ ମତଦାନ ଚାଲୁଥିବା ସମୟରେ ଏହି ଜଘନ୍ୟ କାଣ୍ଡ ଘଟି ଯାଇଛି । ଏହାକୁ ନେଇ ଧାମନଗରରରେ ଉତ୍ତେଜନା ପ୍ରକାଶ ପାଇବା ସହ ମତଦାନ ବନ୍ଦ ରହିଥିଲା I
ସୂଚନାନୁସାରେ ଭୋଟ୍ ଦେବାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ବଚସା ପରେ ଯୁବକଙ୍କୁ ଏଭଳି ଛୁରା ମାଡ଼ ହୋଇଥିବା ପ୍ରକାଶ Iସ୍ଥାନୀୟ ୯ ନମ୍ୱର ୱାର୍ଡର ଜଣେ ଯୁବକ ରମେଶ ଲେଙ୍କା ୧୬ ନମ୍ୱର ବୁଥ୍‌କୁ ଭୋଟ୍‌ ଦେବା ପାଇଁ ଯାଇଥିଲେ। ବୁଥ୍‌ ଭିତରେ ସେ ଲାଇନ୍‌ରେ ଛିଡ଼ା ହୋଇଥିବା ସମୟରେ ପ୍ରତିପକ୍ଷ ର ଜଣେ ଯୁବକ ତାଙ୍କୁ ଛୁରାମାଡ଼ କରି ସେଠାରୁ ଚମ୍ପଟ ମାରିଥିଲା।ତେବେ ଗୁରୁତର ଯୁବକଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇଁ ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝି ମେଡିକାଲ୍‌ରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି। ପରେ ରମେଶଙ୍କୁ ଭଦ୍ରକ, ତା’ପରେ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏହାକୁ ନେଇ ବୁଥ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ବୁଥ୍‌ରେ ଭଦ୍ରକ ଏସ୍‌ପି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ପହଞ୍ଚି ବୁଝାସୁଝା କରିଥିଲେ। ଏହା ସତ୍ତ୍ୱେ ପରିବେଶ ସାନ୍ତ ପଡ଼ିନଥିଲା। ବର୍ତ୍ତମାନ ସୁଦ୍ଧା ମତଦାନ ବନ୍ଦ ରହିଛି। ଏପଟେ ଛୁରା ମାଡ଼ ଘଟଣାରେ ସ୍ଥାନୀୟ ଲୋକଙ୍କ ସହ ପରିବାର ଲୋକେ ପ୍ରତିବାଦରେ ରାସ୍ତା ଅବରୋଧ କରିଥିବା ଜଣାପଡିଛି।