ଡିଜିପି ଅଭୟ ଙ୍କୁ ଅବସର ଅନୁମତି : ନୂଆ ବର୍ଷରୁ ରାଜ୍ୟରେ ନୂଆ ପୋଲିସ ଡିଜି

ଆସନ୍ତା ଡିସେମ୍ବର ୩୧ ତାରିଖରେ ଅବସର ଗ୍ରହଣ କରିବେ ରାଜ୍ୟର ପୋଲିସ ଡିଜି ଅଭୟ । ଏନେଇ ଆଜି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ସେହି ଅନୁସାରେ ନୂଆ ବର୍ଷରେ ନୂଆ ପୋଲିସ ଡିଜି ପାଇବ ଓଡିଶା । ଅଭୟଙ୍କ ଅବସର ପରେ ନୂଆବର୍ଷରୁ କାର୍ଯ୍ୟଭାର ଗ୍ରହଣ କରିବେ ରାଜ୍ୟର ନୂଆ ପୋଲିସ ଡିଜି । ଡିଜିପି ଅଭୟଙ୍କର କାର୍ଯ୍ୟକାଳ ୨୦୨୧ ମସିହା ଜୁନ୍‌ ପର୍ଯ୍ୟନ୍ତ ଥିଲା। ମାତ୍ର ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ୬ ମାସ ବଢ଼ାଇ ଥିଲେ। ସେହି ଅନୁସାରେ ଡିସେମ୍ବର ୩୧ ତାରିଖରେ ଅବସର ନେବେ ଡିଜିପି ଅଭୟ। ସେଥିପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ତେବେ ରାଜ୍ୟର ପରବର୍ତ୍ତୀ ଡିଜିପି କିଏ ହେବ ସ୍ପଷ୍ଟ ହୋଇ ନଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ୧୪ ଜଣଙ୍କ ନାଁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଛି । ସେମାନଙ୍କ ମଧ୍ୟରେ ବରିଷ୍ଠତା ଭିତ୍ତିରେ ୫ ଜଣ ପ୍ରଥମେ ଅଛନ୍ତି I ସେମାନେ ହେଲେ ପ୍ରଦୀପ କପୁର, ସୁନୀଲ କୁମାର ବଂଶଲ, ମନୋଜ ଛାବ୍ରା, ସନ୍ତୋଷ ଉପାଧ୍ୟାୟଙ୍କ ପରି ନାଁ I ୟୁପିଏସସି ପକ୍ଷରୁ ୩ଟି ନାଁ ବଛାଯାଇ ରାଜ୍ୟକୁ ପଠାଯିବ । ସେହି ୩ ନାଁ ଭିତରୁ ଜଣଙ୍କୁ ଡିଜିପି ଦାୟିତ୍ୱ ଦେବେ ରାଜ୍ୟ ସରକାର ।

Comments (0)
Add Comment