‘ବିଜେପି ସରକାର ଥିବା ରାଜ୍ୟରେ ବିକାଶଧାରା ଆଗେଇ ଚାଲିଛି’

ଭୁବନେଶ୍ୱର: ଦେଶର ଯେଉଁ ସବୁ ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସରକାର ଅଛି, ସେଠାରେ ବିକାଶର ଧାରା ଆଗେଇ ଚାଲିଛି। ସେଭଳି ଭାବେ ଦିଲ୍ଲୀ ମଧ୍ୟ ଆଗେଇବ। ଦିଲ୍ଲୀକୁ ରାଜ୍ୟ ପାହ୍ୟା ଦେବା ପାଇଁ ଭାରତୀୟ ଜନତା ପାର୍ଟି ଏକ ଲମ୍ବା ସଂଘର୍ଷ କରି ସଫଳ ହୋଇଥିଲା। ଦିଲ୍ଲୀ ରାଜ୍ୟ ପାହ୍ୟା ପାଇବା ପରେ ବିଜେପି ପ୍ରଥମେ ସରକାର ଗଢ଼ିଥିଲା। ଆଗାମୀ ୫ ବର୍ଷ ଭିତରେ ଦିଲ୍ଲୀକୁ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ନୂତନ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ବିଜେପିର ଓଡ଼ିଶା ସଭାପତି ମନମୋହନ ସାମଲ କହିଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନ-୨୦୨୫ରେ ବିଜେପିର ଐତିହାସିକ ବିଜୟ ଲାଭ ପରେ ଶ୍ରୀ ସାମଲ ଏଭଳି କହିଛନ୍ତି। ଏହାଛଡ଼ା ଶ୍ରୀ ସାମଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ ନେତୃତ୍ୱ ତଥା ମାର୍ଗଦର୍ଶନରେ ଦିଲ୍ଲୀବାସୀ ବିଜେପି ଉପରେ ଆସ୍ଥା ପ୍ରକଟ କରି ବିପୁଳ ଜନ ସମର୍ଥନ ଜଣାଇଛନ୍ତି। ଗତ ୨୭ ବର୍ଷ ହେବ ଦିଲ୍ଲୀ ଅବହେଳିତ ଅବସ୍ଥାରେ ଥିଲା, ସେଠାରେ ବିକାଶ ନିମ୍ନଗାମୀ ହୋଇଯାଇଥିଲା। ଗତ ୧୨ ବର୍ଷ ହେବ ଆପ୍ ସରକାର ବିଭିନ୍ନ ଦୁର୍ନୀତିରେ ବୁଡ଼ି ରହିଥିଲା। ଏନେଇ ଦିଲ୍ଲୀବାସୀଙ୍କ ମନରେ ଅସନ୍ତୋଷ ଚରମ ସୀମାରେ ପହଂଚିଥିଲା। ତାହାର ବିସ୍ଫୋରଣ ନିର୍ବାଚନରେ ହୋଇଛି। ଶେଷରେ ଆଜି ସରକାର ପରିବର୍ତ୍ତନ ହୋଇଛି। ବିଜେପିର ଏହି ବିଜୟ ସମସ୍ତଙ୍କୁ ଉତ୍ସାହ ଦେବା ସହ ପ୍ରେରଣା ଯୋଗାଇଛି ବୋଲି ଶ୍ରୀ ସାମଲ କହିଛନ୍ତି।