ବରିଷ୍ଠ ନାଗରିକମାନେ ପୁରୀ ଯାଇ ଜଗାଦର୍ଶନ କରିପାରିବେନି । ଅଥତ ବରିଷ୍ଠମାନେ ଟ୍ରେନରେ ହରିଦ୍ବାର ଋଷିକେଶ ଯାଏ ତୀର୍ଥ କରିପାରିବେ । ରାଜ୍ୟ ସରକାରଙ୍କର ଇଏ କି ଦୋମୁହାଁ ଚରିତ୍ର ? ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ପରିଚାଳନାରେ ବିଫଳତାକୁ ନେଇ ଛତିଶଗଡ଼ ରାଜ୍ୟପାଳ କ୍ଷୋଭ ପ୍ରକାଶ କରିଥିଲେ । ଚାରି ଦ୍ବାର ଖୋଲାଯାଉ ବୋଲି ଦାବି କରିଥିଲେ । ଭକ୍ତଙ୍କର ଯନ୍ତ୍ରଣା ରାଜ୍ୟ ଶାସନ ପ୍ରଶାସନ ଅନୁଭବ କରୁ ବୋଲି କହିଥିଲେ । ତେବେ ଚାରି ଦ୍ବାର ଖୋଲିବା ନିଷ୍ପତ୍ତି ନେବା ପରିବର୍ତ୍ତେ କିମ୍ବା ଭିଡ଼ ନିୟନ୍ତ୍ରଣ ପାଇଁ ସୁଚାରୁ ବ୍ୟବସ୍ଥା ବଦଳରେ ବରିଷ୍ଠ ଭକ୍ତଙ୍କୁ ଶ୍ରୀମନ୍ଦିର ନଆସିବାକୁ ପରାମର୍ଶ ଦେଇଥିଲେ ମୁଖ୍ୟ ପ୍ରଶାସକ ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଉଛନ୍ତି ରାଜ୍ୟ ସରକାରଙ୍କ ପ୍ରତିନିଧି । ଅଚଥ ମୁଖ୍ୟ ପ୍ରଶାସକଙ୍କର ଏପରି ସମ୍ବେଦନହୀନ ବୟାନକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କେହି ମୁହଁ ଖୋଲିଲେ ନାହିଁ । ଓଲଟା ଶାସକ ଦଳ ବିଧାୟକ ସୁଧିର ସାମଲ ବିତଣ୍ଡା ଯୁକ୍ତି ବାଢିଲେ ବଡ଼ ବଡ଼ ମନ୍ଦିରରେ ଭକ୍ତ ଅପେକ୍ଷା କରୁଛନ୍ତି ଶ୍ରୀମନ୍ଦିରରେ ୧୨ ଘଣ୍ଟା ଛିଡ଼ାହେବାରେ ଅସୁବିଧା କଣ ।
ମୁଖ୍ୟ ପ୍ରଶାସକ ଓ ବିଧାୟକଙ୍କର ଏପରି ସମ୍ବେଦନହୀନ ବୟାନକୁ ବିଭିନ୍ନ ମହଲରୁ ସମାଲୋଚନା ପରେ ଏବେ ନିଜ ବୟାନରୁ ବାଧ୍ୟ ହୋଇ ପଲଟିଛନ୍ତି ମୁଖ୍ୟ ପ୍ରଶାସକ । ଜଗାଦର୍ଶନ ପାଇଁ ବରିଷ୍ଠଙ୍କୁ ବାରଣ ଅଥଚ ବରିଷ୍ଠଙ୍କୁ ନେଇ ହରିଦ୍ବାର ଋଷିକେଶ ତୀର୍ଥଯାତ୍ରା ଭ୍ରମଣ । ରାଜ୍ୟ ସରକାରଙ୍କ ଏପରି ଦୋମୁହାଁ ନୀତିକୁ ନେଇ ଜଗନ୍ନାଥପ୍ରେମୀଙ୍କ ମହାଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ମୃଣାଳିନୀ ପାଢ଼ୀ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟର ୪୨ ତମ ପାରାରେ ବୃଦ୍ଧ, ବୟସ୍କ, ମହିଳା ସମସ୍ତଙ୍କୁ ଶୃଙ୍ଖଳିତ ତଥା ବିନା ଅବରୋଧରେ ଦର୍ଶନ କରେଇବା ଲାଗି ନିର୍ଦ୍ଦେଶ ରହିଛି । ଅର୍ଥାତ ବୟସ୍କଙ୍କୁ ଶ୍ରୀମନ୍ଦିର ନଆସିବାକୁ ବାରଣ କରିବା ମାନେ ସୁପ୍ରିମକୋର୍ଟଙ୍କ ନିର୍ଦେଶର ଅବମାନନା କରିବା । ଛତିଶଗଡ଼ ରାଜ୍ୟପାଳଙ୍କଠାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଓ ଜଗନ୍ନାଥପ୍ରେମୀ ସମସ୍ତେ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ଲାଗି ଚାରି ଦ୍ବାର ଖୋଲିବାକୁ ପରାମର୍ଶ ଦେଇଛନ୍ତି । କିନ୍ତୁ ରାଜ୍ୟ ସରକାର ନାଛୋଡ଼ ବନ୍ଦା। ଭକ୍ତ ପଛେ ଯନ୍ତ୍ରଣା ଭୋଗନ୍ତୁ କିନ୍ତୁ ବିଜେଡି ସରକାର ନିଜ ଜିଦରୁ ହଟିବାକୁ ନାରାଜ ।