ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣର ପ୍ରକୋପ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି, ଯାହାଦ୍ୱାରା ଦିଲ୍ଲୀବାସୀ ଏବେ ସମ୍ପୂର୍ଣ୍ଣ ଅଣନିଶ୍ୱାସୀ ହୋଇପଡ଼ିଛନ୍ତି। ରାଜଧାନୀର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ବାୟୁର ଗୁଣବତ୍ତା ମାନ ଅତି ଖରାପ ଶ୍ରେଣୀକୁ ଖସିଆସିଛି ଏବଂ ସୂଚକାଙ୍କ ୩୫୦ ଅତିକ୍ରମ କରିସାରିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜାରି ସକାଳର ତଥ୍ୟ ଅନୁଯାୟୀ, ପ୍ରସିଦ୍ଧ ଅକ୍ଷରଧାମ ଏବଂ ଆଇଟିଓ ଆଖପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ମାନ ୩୪୯ ରେକର୍ଡ କରାଯାଇଥିବା ବେଳେ ଇଣ୍ଡିଆ ଗେଟ୍ ଏବଂ ଜନପଥ ପରିପାର୍ଶ୍ୱରେ ଏହା ୩୩୫ ରହିଛି। ପ୍ରଦୂଷଣର ଭୟାବହତାକୁ ରୋକିବା ଉଦ୍ଦେଶ୍ୟରେ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରରେ ନଭେମ୍ବର ୧ ତାରିଖରୁ ନୂତନ କଟକଣାମାନ ଲାଗୁ କରାଯାଇଛି। ତେବେ କଟକଣା ଲାଗୁ ହେବା ପୂର୍ବରୁ ହିଁ ରବିବାର ଦିନ ବାୟୁର ଗୁଣବତ୍ତା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଥିଲା। ପୂର୍ବରୁ ହୋଇଥିବା ବର୍ଷା ଯୋଗୁଁ ଦୁଇଦିନ ବାୟୁ ପ୍ରଦୂଷଣରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲେ ସୁଦ୍ଧା, ରବିବାରଠାରୁ ପୁନର୍ବାର ସୂଚକାଙ୍କ ବୃଦ୍ଧି ପାଇଛି। ଦିଲ୍ଲୀର ପ୍ରାୟ ୨୩ଟି ସ୍ଥାନରେ ବାୟୁ ଗୁଣବତ୍ତା ମାନ ୩୦୦ କୁ ଅତିକ୍ରମ କରିସାରିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପୂର୍ବାନୁମାନ ଅନୁଯାୟୀ, ଚଳିତ ସପ୍ତାହରେ ପ୍ରଦୂଷଣର ମାତ୍ରା ଆହୁରି ବୃଦ୍ଧି ପାଇବ, ଯାହାଫଳରେ ସୂଚକାଙ୍କ ଆଗାମୀ ଦିନରେ ଅତି ଗୁରୁତର ଶ୍ରେଣୀରେ ପହଞ୍ଚିବାର ଆଶଙ୍କା ରହିଛି। ପୂର୍ବଦିନ ବାୟୁ ଗୁଣବତ୍ତା ମାନ ୧୧୭ ଥିବା ବେଳେ ରବିବାର ଏହା ବୃଦ୍ଧି ପାଇ ୧୪୪ ହୋଇଥିଲା। ଏହାପୂର୍ବରୁ ଗତ ଅକ୍ଟୋବର ୨୧ ତାରିଖରେ ଏହି ସୂଚକାଙ୍କ ୨୪୫ ରେକର୍ଡ କରାଯାଇଥିଲା। ପ୍ରଦୂଷଣ ସାଙ୍ଗକୁ ଧୂଆଁଅନ୍ଧାର ଓ କୁହୁଡ଼ିର ମାତ୍ରା ବଢ଼ୁଥିବାରୁ ଦୃଶ୍ୟମାନତା କମିବାରେ ଲାଗିଛି। ସେହିପରି ନଭେମ୍ବର ୧ ତାରିଖରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା ଶୀତର ଆଗମନ ସହ ପ୍ରଦୂଷଣକୁ ଆହୁରି ଜଟିଳ କରୁଛି।