ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ପଞ୍ଜାବରୁ ୬ ଜଣ ସନ୍ଦିଗ୍ଧ ଆତଙ୍କବାଦୀକୁ ଦିଲ୍ଲୀ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫ ସନ୍ଦିଗ୍ଧମାନେ ପାକିସ୍ତାନ ଗ୍ୟାଙ୍ଗଷ୍ଟାର ଏବଂ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ର ଏଜେଣ୍ଟ ଶହଜାଦ ଭଟ୍ଟୀ ସହିତ ସମ୍ପର୍କରେ ଥିଲେ । ଗତ ଚାରି ଦିନ ମଧ୍ୟରେ ଏହା ଦ୍ୱିତୀୟ ଘଟଣା । ପୂର୍ବରୁ ଗୁଜରାଟ ଏବଂ ମଧ୍ୟ ପ୍ରଦେଶରୁ ଗୁଜରାଟ ଆଣ୍ଟି ଟେରୋରିସ୍ଟ ସ୍କ୍ୱାର୍ଡ ୮ ଜଣଙ୍କୁ ଗିରଫ କରିଛି । ଏମାନେ ବିଶେଷତଃ ଅସ୍ତ୍ରଶସ୍ତ୍ର ତିଆରିରେ ନିୟୋଜିତ ଥିଲେ । ସେମାନଙ୍କ ନିକଟରୁ ଦହନଶୀଳ ପଦାର୍ଥ, ୨ଟି ବିଦେଶୀ ବନ୍ଧୁକ, ୯ଟି କ୍ୟାଟ୍ରିଜ୍, ୩ଟି ପେଟ୍ରୋଲ ବୋମା ଏବଂ ୨ଟି ଗାଡ଼ି ଜବତ କରାଯାଇଛି । ଜୁନ ୧୪ ତାରିଖରେ ପାକିସ୍ତାନ ଆଇଏସଆଇ ହ୍ୟାଣ୍ଡଲର ଶାହଜାଦ ଭଟ୍ଟି ସହିତ ଜଡିତ ଏକ ୮ ସଦସ୍ୟ ବିଶିଷ୍ଟ ଆତଙ୍କୀ ମଡ୍ୟୁଲର ଦିଲ୍ଲୀ ପୋଲିସ ସ୍ପେଶାଲ୍ ସେଲ୍ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପୂର୍ବରୁ, ଦିଲ୍ଲୀ ପୋଲିସ ଅପରେସନ ଗ୍ୟାଙ୍ଗ ବଷ୍ଟ ୨.୦ ସମୟରେ ଏହି ମଡ୍ୟୁଲର ୩ ଜଣ ସଦସ୍ୟଙ୍କୁ ଗିରଫ କରିଥିଲା | ସୂଚନା ଥାଉ ଯେ, ଗତ ଶୁକ୍ରବାର ଗୁଜରାଟ ଏଟିଏସ ୮ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ସମସ୍ତେ ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦ ସହିତ ଜଡ଼ିତ ଅଛନ୍ତି । ଗିରଫ ହୋଇଥିବା ୮ ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ୭ ଜଣ ଗୁଜରାଟର ବାସିନ୍ଦା ହୋଇଥିବାବେଳେ ଜଣେ ମଧ୍ୟପ୍ରଦେଶର । ଗୁଜରାଟରେ ଆତଙ୍କବାଦୀର ନେଟୱାର୍କ ସକ୍ରିୟ କରିବା, ଦେଶରେ ଆତଙ୍କର ବାତାବରଣ ସୃଷ୍ଟି କରିବାକୁ ଏମାନେ କାମ କରୁଥିଲେ ବୋଲି ଏଟିଏସ୍ ଅଧିକାରୀ ସୂଚନା ଦେଇଛନ୍ତି ।