ଆଜି ଦିଲ୍ଲୀ ମେୟର ନିର୍ବାଚନ

ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ ମେୟର ନିର୍ବାଚନ ଶୁକ୍ରବାର ହେବାକୁ ଥିବାବେଳେ ଏହା ଦିନକ ପୂର୍ବରୁ ଉପରାଜ୍ୟପାଳ ଭି.କେ. ସାକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଆମ୍‌ ଅଦ୍‌ମୀ ପାର୍ଟି ମଧ୍ୟରେ ବିବାଦ ତୀବ୍ର ହୋଇଛି। ଉପରାଜ୍ୟପାଳ ନବନିର୍ବାଚିତ ଏମ୍‌ସିଡିକୁ ୧୦ ସଦସ୍ୟ ମନୋନୀତ କରିବା ପରେ ମେୟର ନିର୍ବାଚନ ପରିଚାଳନା ଲାଗି ଗୁରୁବାର ଭାଜପା କାଉନସିଲର ସତ୍ୟ ଶର୍ମାଙ୍କୁ ପ୍ରିଜାଇଡିଂ ଅଫିସର ବା ଅସ୍ଥାୟୀ ବାଚସ୍ପତି ନିଯୁକ୍ତ କରିଛନ୍ତି। ଏହାକୁ ନେଇ ଏଏପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।

ସମସ୍ତ ଗଣତାନ୍ତ୍ରିକ ପରମ୍ପରା ଓ ଅନୁଷ୍ଠାନକୁ ଧ୍ୱଂସ କରିଦେବା ଲାଗି ଜାଣିଶୁଣି ଏଭଳି କାର୍ଯ୍ୟ କରାଯାଉଥିବା ଏଏପି ଅଭିଯୋଗ କରିଛି। ଏଭଳି ବେଆଇନ ଏବଂ ଅସାମ୍ବିଧାନିକ ବ୍ୟବହାରକୁ ନେଇ ଦିଲ୍ଲୀର ଶାସକ ଦଳ ଉପରାଜ୍ୟପାଳଙ୍କୁ ଚିଠି ଲେଖିଛି। ଉପରାଜ୍ୟପାଳ ସାକ୍ସେନା ଦିଲ୍ଲୀରେ ତାଙ୍କ ସରକାରକୁ ଅଣଦେଖା କରି କ୍ଷମତାର ଅପବ୍ୟବହାର କରୁଥିବା ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସରକାରଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବା ଏବଂ ପ୍ରଶାସନରେ ମୁଣ୍ଡ ଖେଳାଇବାରେ ଉପରାଜ୍ୟପାଳ କୌଣସି ଉଦ୍ୟମକୁ ହାତଛଡ଼ା କରୁନାହାନ୍ତି।

ମେୟର ନିର୍ବାଚନକୁ ପ୍ରଭାବିତ କରିବା ଲାଗି ସାକ୍ସେନା ଉଦ୍ଦେଶ୍ୟମୂଳକ ଭାବେ ୧୦ ଜଣଙ୍କୁ ଏମ୍‌ସିଡିକୁ ମନୋନୀତ କରି ଏହାକୁ ଭାଜପା ସପକ୍ଷରେ ନେବାକୁ ଉଦ୍ୟମ କରୁଛନ୍ତି ବୋଲି କେଜ୍‌ରିଓ୍ବାଲ କହିଛନ୍ତି।