ତିଲକ ନଗରରେ ଯୁବକଙ୍କୁ ଚାପୁଡ଼ା ମାରି ବିବାଦରେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସର୍ବସାଧାରଣରେ ଜଣେ ଯୁବକଙ୍କୁ ଚାପୁଡା ମାରି ଅଡୁଆରେ ପଡିଛନ୍ତି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ତଥା ପିଡବ୍ଲ୍ୟୁଡି ମନ୍ତ୍ରୀ ପରବେଶ ବର୍ମା। ରବିବାର ଉପ-ମୁଖ୍ୟମନ୍ତ୍ରୀ ବର୍ମା ଦିଲ୍ଲୀର ତିଲକ ନଗର ଅଞ୍ଚଳକୁ ରାସ୍ତା ନିର୍ମାଣ କାର୍ଯ୍ୟ ଯାଞ୍ଚ ପାଇଁ ଯାଇଥିବାବେଳେ ସାହେବ ନାମକ ଜଣେ ଯୁବକକୁ ଚାପୁଡା ମାରିଥିଲେ। ମନ୍ତ୍ରୀ ରାସ୍ତା କାର୍ଯ୍ୟ ଯାଞ୍ଚ କରୁଥିବାବେଳେ ସାହେବ ତା’ର ଭିଡିଓ ରେକର୍ଡିଂ କରୁଥିଲେ। ଭିଡିଓ ରେକର୍ଡିଂ କରୁଥିବା କାରଣରୁ ଉପ ମୁଖ୍ୟମନ୍ତ୍ରୀ ରାଗିଯାଇ ତାଙ୍କୁ ଚାପୁଡା ମାରିଥିଲେ। ସାହେବଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଚାପୁଡା ମାରିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏପରି କି ଉପ-ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରାଯାଇଛି। ଭିଡିଓରେ ଦେଖାଯାଇଛି ଯେ ଉପ-ମୁଖ୍ୟମନ୍ତ୍ରୀ ଚାପୁଡା ମାରିବା ସହିତ ସାହେବଙ୍କ ମୋବାଇଲ ଛଡାଇ ନେଉଛନ୍ତି। ଏହି ଘଟଣା ସମୟରେ ଉପ-ମୁଖ୍ୟମନ୍ତ୍ରୀଙ୍କ ସହିତ ପୋଲିସ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ସାହେବ ହେଉଛନ୍ତି ଆପ୍ ବିଧାୟକ ଜର୍ଣ୍ଣେଲ ସିଂହଙ୍କର ଜଣେ ସହଯୋଗୀ। ଦିଲ୍ଲୀରେ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେବାକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ବର୍ମାଙ୍କ ସହିତ ଜର୍ଣ୍ଣେଲ ସିଂହଙ୍କର ପୂର୍ବରୁ ଯୁକ୍ତିତର୍କ ହୋଇଥିଲା। ମାଡ଼ ଘଟଣାର ଭିଡିଓ ସେୟାର କରି ଉପ-ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବାକୁ ଆପ୍‌ ଦାବି କରିଛି। ଦଳର ଆବାହକ ଅରବିନ୍ଦ କେଜରିୱାଲ ଓ ସୌରଭ ଭରଦ୍ୱାଜ ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି। ଅନ୍ୟପଟେ ପୀଡ଼ିତ ଯୁବକ ଜଣକ ମନ୍ତ୍ରୀଙ୍କ ବିରୋଧରେ ଥାନାରେ ଏଫ୍‌ଆଇଆର୍ ରୁଜୁ କରିଛନ୍ତି। ତେବେ ଏହି ଘଟଣା ପରେ ଉପମୁଖ୍ୟ ମନ୍ତ୍ରୀ ସୋସିଆଲ ମିଡିଆ ‘ଏକ୍ସ’ରେ ନିଜର ପକ୍ଷ ରଖି କହିଛନ୍ତି ଯେ, ‘ଆଜି ଯାହା ହେଲା ତାହା ହେବା ଉଚିତ୍ ନଥିଲା।’ ସେ ଅଭିଯୋଗ କରିଛନ୍ତି ଯେ ଆପ୍‌ ବିଧାୟକଙ୍କ ସମର୍ଥକମାନେ ତାଙ୍କ ପରିବାରକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଯୋଗୁଁ ସେ ରାଗିଯାଇ ଏପରି ପ୍ରତିକ୍ରିୟା ଦେଇଥିଲେ। ଏହା ସହିତ ରାସ୍ତା କାମ କରୁଥିବା ଠିକାଦାରଙ୍କୁ ସ୍ଥାନୀୟ ବିଧାୟକ ଜର୍ଣ୍ଣେଲ ସିଂହ କମିସନ ମାଗୁଥିବା ନେଇ ଉପ-ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି।