କେଜ୍ରିୱାଲଙ୍କୁ ୭ ଦିନ ଇଡି ରିମାଣ୍ଡ୍‌..

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗତକାଲି ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୋର୍ଟ ଆଜି ୭ ଦିନ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରିମାଣ୍ଡରେ ପଠାଇଦେଇଛନ୍ତି। ଆସନ୍ତା ୨୮ ତାରିଖରେ କୋର୍ଟରେ ତାଙ୍କୁ ହାଜର କରିବା ଲାଗି ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ନୀତି ମାମଲାରେ କେଜ୍ରିୱାଲ ମୁଖ୍ୟ ଷଡ଼୍‌ଯନ୍ତ୍ରକାରୀ ହୋଇଥିବାରୁ ତାଙ୍କୁ ୧୦ ଦିନ ପାଇଁ ରିମାଣ୍ଡରେ ନେବାଲାଗି ଇଡି ପକ୍ଷରୁ ଯୁକ୍ତି କରାଯାଇଥିଲା। କୁହାଯାଇଥିଲା ଯେ ତାଙ୍କୁ ବ୍ୟାପକ ଜେରା କରାଯିବାର ଆବଶ୍ୟକତା ରହିଛି।

ଏହି ମାମଲାରେ ଗିରଫ ଅନ୍ୟ ଅଭିଯୁକ୍ତଙ୍କ ସହିତ ମୁହାଁମୁହିଁ ଜେରା କରାଯିବ। ତେଣୁ ୧୦ ଦିନର ରିମାଣ୍ଡ ଦରକାର। କିନ୍ତୁ କୋର୍ଟ ଏଥିପାଇଁ କେବଳ ୭ ଦିନ ମଞ୍ଜୁର କରିଥିଲେ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ପକ୍ଷରୁ ଆଜି ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ତାଙ୍କର ରିମ‌ାଣ୍ଡକୁ ନେଇ କୋର୍ଟରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ଚାଲିଥିଲା। ଇଡି ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌. ଭି ରାଜୁ କହିଥିଲେ ଯେ କେଜ୍ରିୱାଲ ହେଉଛନ୍ତି ଦିଲ୍ଲୀ ଅବକାରୀ ଦୁର୍ନୀତିର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ‘କିଙ୍ଗପିନ୍’। ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସହ ସଂପୂର୍ଣ୍ଣ ଯୋଗାଯୋଗରେ ରହି ଏହି ଦୁର୍ନୀତିର ମୁଖ୍ୟ ସଂଚାଳକ ପାଲଟିଥିଲେ। କେଜ୍ରିୱାଲ ଦିଲ୍ଲୀର ଅବକାରୀ ନୀତି ପ୍ରଣୟନରେ ସିଧାସଳଖ ସମ୍ପୃକ୍ତ ଥିଲେ ଏବଂ ସେ ଅପରାଧରୁ ମିଳିଥିବା ଆୟକୁ ମଧ୍ୟ ବିନିଯୋଗ କରିବାରେ ପ୍ରମୁଖ ଭୂମିକା ନେଇଥିଲେ। ଏହି ଅପରାଧରୁ ମିଳିଥିବା ଅର୍ଥକୁ ଗୋଆ ନିର୍ବାଚନରେ ପ୍ରଚାର ପାଇଁ ବ୍ୟବହାର କରାଯାଇଥିଲା। ‘ଆମେ ଅପରାଧର ଆୟ ଠାବ କରିଛୁ ଏବଂ ଗୋଆ ନିର୍ବାଚନ ପ୍ରଚାରରେ ସମ୍ପୃକ୍ତ ଅନେକ ବ୍ୟକ୍ତିଙ୍କ ବୟାନ ନେଇଛୁ’ ବୋଲି ଇଡି କହିଛି। କେଜ୍ରିଵାଲ ‘ସାଉଥ୍ ଗ୍ରୁପ୍’କୁ ଅଧିକ ଫାଇଦା ଦେବା ପ୍ରତିଶ୍ରୁତି ଦେଇ ଲାଞ୍ଚ ମାଗିଥିଲେ।

ଏହି ଦୁର୍ନୀତିରେ ୬୦୦ କୋଟିରୁ ଅଧିକ ଟଙ୍କାର ବେଆଇନ କାରବାର ହୋଇଛି। ସେଥିମଧ୍ୟରୁ ସାଉଥ୍ ଗ୍ରୁପ୍ ୧୦୦ କୋଟି ଟଙ୍କା କେ. କବିତାଙ୍କ ମାଧ୍ୟମରେ ଦେଇଥିଲା। ତେବେ ଇଡିର ଯୁକ୍ତିକୁ ଖଣ୍ଡନ କରି କେଜ୍ରିୱାଲଙ୍କ ପକ୍ଷରୁ ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁସିଂଘଭି କହିଥିଲେ ଯେ ଇଡି ମନଗଢ଼ା କାହାଣୀ ଶୁଣାଉଛି। କେଜ୍ରିୱାଲଙ୍କ ବିରୋଧରେ ପ୍ରତ୍ୟକ୍ଷ ପ୍ରମାଣ ନଥିବାରୁ ତାଙ୍କୁ ଗିରଫ କରାଯିବାର କୌଣସି କାରଣ ନାହିଁ। ଏହି ମାମଲାରେ ଗିରଫ ହୋଇଥବା ୮୦% ଲୋକ ସେମାନଙ୍କ ବୟାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାମ ଉଲ୍ଲେଖ କରିନାହାନ୍ତି ବୋଲି ସେ କହିଥିଲେ। ଇଡି ଏହି ମାମଲାରେ ଉଭୟ ତଦନ୍ତକାରୀ ଓ ଦଣ୍ଡବିଧାନକାରୀ ଭାବେ ନିଜକୁ ଉପସ୍ଥାପିତ କରିଛି ଏବଂ ଏହା ଗ୍ରହଣୀୟ ନୁହେଁ ବୋଲି ସେ କହିଥିଲେ। ଗିରଫ କରିବାର କ୍ଷମତା ଅଛି ବୋଲି ପ୍ରମାଣ ନଥାଇ ଇଡି ଗିରଫ କରିପାରିବ ନାହିଁ।