ଆଜି ଦିଲ୍ଲୀ ବିଧାନସଭା: ନିର୍ବାଚନସଂଗମ ଘାଟରେ ବୁଡ଼ ପକାଇବେ ମୋଦୀ

ନୂଆଦିଲ୍ଲୀ/ପ୍ରୟାଗରାଜ : ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଦିଲ୍ଲୀର ସମସ୍ତ ୭୦ ବିଧାନସଭା ଆସନ ପାଇଁ ଏକକ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ୬୯୯ଜଣ ପ୍ରାର୍ଥୀ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ବେଳେ ଦିଲ୍ଲୀବାସୀ ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରୟାଗରାଜ ଗସ୍ତ କରିବେ ଏବଂ ସେଠାରେ ମହାକୁମ୍ଭ ପରିଦର୍ଶନ କରିବା ସହ ସଙ୍ଗମ ଘାଟରେ ବୁଡ଼ ପକାଇବା ପୂର୍ବକ ମା’ ଗଙ୍ଗାଙ୍କୁ ପ୍ରାର୍ଥନା କରିବେ ବୋଲି କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଥିବା ସୂଚନା ମିଳିଛି। ଦିଲ୍ଲୀ ବିଧାନସଭା ପାଇଁ ଭୋଟ ଗ୍ରହଣ ହେବାକୁ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ମହାକୁମ୍ଭ ସ୍ନାନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ପିଏମ୍‌ଓ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ ମୋଦୀ ଫେବୃଆରୀ ୫ ତାରିଖ ସକାଳ ୧୦ଟା ୫ ମିନିଟରେ ପ୍ରୟାଗରାଜ ବିମାନ ବନ୍ଦରରେ ପହଞ୍ଚିବେ, ଏହା ପରେ ଡିପିଏସ ହେଲିପ୍ୟାଡରେ ପହଞ୍ଚିବେ। ସେଠାରୁ ସେ କୁମ୍ଭମେଳାର ଏରିଏଲ୍ ଘାଟରେ ଦିନ ୧୦ଟା ୪୫ ମିନିଟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଏରିଏଲ ଘାଟରୁ ଡଙ୍ଗା ମାଧ୍ୟମରେ ମୋଦୀ ମହାକୁମ୍ଭରେ ପହଞ୍ଚିବାର ସମୟ ସ୍ଥିର ହୋଇଛି। ସେଠାରେ ସେ ଦିନ ୧୧ଟାରୁ ୧୧ଟା ୩୦ ମିନିଟ ଯାଏଁ ଗଙ୍ଗା ନଦୀ ଓ ଘାଟରେ ବୁଡ ପକାଇବା ସହ ପୂଜାର୍ଚ୍ଚନା କରିବେ। ଏହା ପରେ ସେ ତୁରନ୍ତ ଦିଲ୍ଲୀ ଫେରିଯିବେ। ଦିଲ୍ଲୀରେ ଚାଲିଥିବା ମତଦାନ ଉପରେ ସେ ନଜର ରଖିବେ। ଚଳିତ ଦିଲ୍ଲୀ ସାଧାରଣ ନିର୍ବାଚନ ଉଭୟ ବିଜେପି ଓ ଶାସକ ଦଳ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେବେଠାରୁ ମୋଦୀ ଦେଶରେ କ୍ଷମତାକୁ ଆସିଛନ୍ତି, ସେବେଠାରୁ ଦିଲ୍ଲୀକୁ ଅକ୍ତିଆର କରିବାରେ ବିଫଳ ହୋଇଛନ୍ତି। ସେପଟେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦୁର୍ନୀତି ମାମଲାରେ ଗିରଫ ହୋଇ ଜାମିନରେ ଫେରିବା ପରେ, ନିଜ ସ୍ଥିତି ଓ ନିଜ ଦଳର ସ୍ଥିତି ବଞ୍ଚାଇବା ପାଇଁ ପ୍ରାଣମୂର୍ଛା ଉଦ୍ୟମ କରୁଛନ୍ତି। ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ ମଧ୍ୟ ଆଜି ଅର୍ଥାତ ମଙ୍ଗଳବାର ଦିନ ଦିଲ୍ଲୀ ସ୍ଥିତ ହନୁମାନ ମନ୍ଦିର ଯାଇ ମହାବୀରଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି। ନିଜ ପରିବାର ସହ ସେ ସଙ୍କଟ ମୋଚନଙ୍କ ପାଖକୁ ଯାଇ ଆଶୀର୍ବାଦ ଲୋଡିଛନ୍ତି।