ଦିଲ୍ଲୀ ହୋଟେଲ ଅଗ୍ନିକାଣ୍ଡ ଘଟଣାରେ ୨୧ ଜଣଙ୍କ ମୁତ୍ୟୁ : ମାଲିକଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀ ମାଲବ୍ୟ ନଗର ହୋଟେଲରେ ଅଗ୍ନିକାଣ୍ଡରେ ୨୧ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଲୋକେ ଆହତ ହୋଇଛନ୍ତି। ପ୍ରାଣ ହରେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ୧୨ ଜଣ ବିଦେଶୀ ନାଗରିକ ଅଛନ୍ତି l ଘଟଣା ପରେ ପୋଲିସ ଓ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ହୋଟେଲ ମାଲିକ ଲଭକେସ ବଜାଜଙ୍କୁ ପୋଲିସ ଅଟକ କରିଛି। ଏହା ପୂର୍ବରୁ ପୋଲିସ ବଜାଜ ଓ ତାଙ୍କ ପତ୍ନୀଙ୍କ ଲାଗି ଲୁକଆଉଟ୍ ସର୍କୁଲାର ଜାରି କରିଥିଲା, ଯେପରି ସେମାନେ ଦେଶ ଛାଡି ଫେରାର ନ ହୋଇ ପାରନ୍ତି। ସୂଚନା ଅନୁସାରେ ମାଲବ୍ୟ ନଗର ହୌଜରାନୀ କ୍ଷେତ୍ରରେ ଥିବା ‘ଲେମନ ଗ୍ରୀନ’ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟରେ ବୁଧବାର ସକାଳେ ଅଚାନକ ନିଆଁ ଲାଗିଯାଇଥିଲା। ନିଆଁ ଏପରି ଭାବେ ଲାଗିଥିଲା ଯେ ଭିତରେ ଥିବା ଲୋକେ ବାହାରକୁ ବାହାରି ପାରିନଥିଲେ। ଆଖି ପିଛୁଳାକେ ପୁରା ପରିସରକୁ ନିଆଁ ଘେରିଯାଇଥିଲା। ଘଟଣାର ସୂଚନା ମିଳିବାମାତ୍ରେ ଦମକଳ ବିଭାଗ, ଦିଲ୍ଲୀପୋଲିସ, ଆମ୍ବୁଲାନ୍ସ ଓ ଅନ୍ୟ ସହାୟତାକାରୀ ସଂସ୍ଥା ଘଟଣାସ୍ଥଳକୁ ପହଞ୍ଚିଥିଲେ। ଉଦ୍ଧାରକାରୀ ଦଳ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର ଅଭିଯାନ ଚଳାଇ ଭିତରେ ଫଶିଥିବା ଲୋକଙ୍କୁ ବାହାର କରିଥିଲେ। ପୋଲିସ ହୋଟେଲରେ ନିଆଁ ଲାଗିବାର କାରଣ ଯାଞ୍ଚ କରୁଛି। ଏହା ସହିତ ହୋଟେଲରେ ସୁରକ୍ଷା ନିୟମର ପାଳନ ହେଉଥିଲା କି ନା ତାହାର ମଧ୍ୟ ଯାଞ୍ଚ ହେଉଛି। ହୋଟେଲ ମାଲିକଙ୍କୁ ଅଟକ କରାଯିବା ପରେ ମାମଲାର ଯାଞ୍ଚ ତ୍ୱାରାନ୍ୱିତ ହୋଇଛି।