କୋରାପୁଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, HALରେ ନୂଆ ଉତ୍ପାଦନ ଲାଇନ୍‌ର ଶିଳାନ୍ୟାସ

କୋରାପୁଟ: ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କୋରାପୁଟ ଜିଲ୍ଲାର ସୁନାବେଡ଼ାରେ ହେଲିପ୍ୟାଡ୍‌ରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବରିଷ୍ଠ ପ୍ରତିରକ୍ଷା ଓ ପ୍ରଶାସନିକ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (HAL)ର ସୁନାବେଡ଼ାସ୍ଥିତ ପ୍ରମୁଖ ପ୍ରତିରକ୍ଷା ଉତ୍ପାଦନ ୟୁନିଟ୍‌ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଶକ୍ତି ଇଞ୍ଜିନ୍‌ ତିଆରି ପାଇଁ ଏକ ନୂଆ କାରଖାନାର ମୂଳଦୁଆ ପଡ଼ିଛି। ପ୍ରାୟ ୨୧୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ନୂଆ ଉତ୍ପାଦନ ଲାଇନ୍‌ ଦେଶରେ ନିର୍ମିତ ହେଲିକପ୍ଟରର ଉତ୍ପାଦନ କ୍ଷମତା ବଢ଼ାଇବ। ବିଶେଷକରି ଧ୍ରୁବ ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର (ALH) ଓ ପ୍ରଚଣ୍ଡ ଲାଇଟ୍ କମ୍ବାଟ୍ ହେଲିକପ୍ଟର (LCH) ଭଳି ହେଲିକପ୍ଟର ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ହେବ। ଏଥିସହ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଏଚ୍‌.ଏ.ଏଲ୍‌. (HAL) କୋରାପୁଟର ୨,୦୦୦ତମ ଏରୋ-ଇଞ୍ଜିନ୍‌ ହସ୍ତାନ୍ତର ଉତ୍ସବରେ ଯୋଗଦେଇଛନ୍ତି। ପାଖାପାଖି ୬୦ ବର୍ଷ ହେବ ଦେଶର ପ୍ରତିରକ୍ଷା ଓ ମହାକାଶ କ୍ଷେତ୍ରକୁ କୋରାପୁଟ କାରଖାନା ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଆସୁଥିବାବେଳେ ୨,୦୦୦ତମ ଇଞ୍ଜିନ୍‌ ହସ୍ତାନ୍ତର ଏହାର ଏକ ବଡ଼ ସଫଳତା ବୋଲି କୁହାଯାଇଛି। ଗସ୍ତ ସମୟରେ ସୁଖୋଇ-୩୦ MKI ଯୁଦ୍ଧବିମାନର ଇଞ୍ଜିନ୍‌ ସମ୍ପର୍କିତ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି । ଏରୋସ୍ପେସ୍‌ କ୍ଷେତ୍ରରେ ‘ଆତ୍ମନିର୍ଭର ଭାରତ’ ଲକ୍ଷ୍ୟକୁ ଆଗକୁ ବଢ଼ାଇବାରେ ଏହା ସହାୟକ ହେବ।