ଦକ୍ଷିଣ ଆଫ୍ରିକାର ପରାଜୟ, ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ

ନୂଆଦିଲ୍ଲୀ: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ଦ୍ୱିତୀୟ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଦକ୍ଷିଣ ଆଫ୍ରିକାକୁ ୫୦ ରନ୍ ରେ ପରାସ୍ତ କରିଛି। ଏହା ସହ କିୱି ଦଳ ଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ୨୦୨୫ ଚାମ୍ପିଅନ୍ସ ଟ୍ରଫିର ଟାଇଟଲ୍ ମ୍ୟାଚ୍ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ମାର୍ଚ୍ଚ ୯ ତାରିଖରେ ଦୁବାଇରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। କିୱି ଦଳ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୬ଟି ୱିକେଟ୍ ହରାଇ ୩୬୨ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ଦଳ ନିର୍ଦ୍ଧାରିତ ଓଭରରେ ମାତ୍ର ୩୧୨ ରନ୍ ସ୍କୋର କରିପାରିଥିଲା। ଦକ୍ଷିଣ ଆଫ୍ରିକା ପାଇଁ ଡେଭିଡ ମିଲର ବିସ୍ଫୋରକ ଶତକ ହାସଲ କରିଥିଲେ। ସେ ୬୭ ବଲରେ ୧୦୦ ରନରେ ଅପରାଜିତ ରହିଥିଲେ। ତେବେ ମିଲରଙ୍କ ଶତକ କେବଳ ଦକ୍ଷିଣ ଆଫ୍ରିକାର ପରାଜୟର ମାର୍ଜିନକୁ ହ୍ରାସ କରିପାରିଥିଲା। ନ୍ୟୁଜିଲ୍ୟାଣ୍ଡ ପାଇଁ ରଚିନ୍ ରବିନ୍ଦ୍ର ୧୦୮ ରନ୍ ଏବଂ କେନ୍ ୱିଲିୟମସନ ୧୦୨ ରନ୍ ସଂଗ୍ରହ କରିଥିଲେ। ତା’ପରେ ବୋଲିଂରେ ଅଧିନାୟକ ମିଚେଲ ସାଣ୍ଟନର୍ ଗୁରୁତ୍ୱପୂର୍ଣ୍ଣ ୩ ୱିକେଟ୍ ନେଇଥିଲେ।ମାର୍ଚ୍ଚ ୯ ତାରିଖରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୨:୩୦ ରେ ଆରମ୍ଭ ହେବ। ମିଚେଲ ସାଣ୍ଟନର୍ ଏବଂ ରୋହିତ ଶର୍ମା ଟସ୍ ପାଇଁ ୧:୫୫ ରେ ଆସିବେ ଏବଂ ଅପରାହ୍ନ ୨ଟାରେ ଟସ୍ ହେବ।

Defeat South Africa