୩୦ ବର୍ଷ ପର୍ଯ୍ୟନ୍ତ ସରକାରୀ ଜମିରେ ଚାଷ କରୁଥିବା ଚାଷୀ ଙ୍କ ପାଇଁ ନୀତି ନିର୍ଦ୍ଧାରଣ କରିବାକୁ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦେଶ

ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ ସମୟଧରି ସରକାରୀ ଜମିରେ ଚାଷ କରୁଥିବା ଚାଷୀଙ୍କୁ ଜମିର ମାଲିକାନା ପ୍ରଦାନ ପ୍ରସଙ୍ଗରେ ରାଜ୍ୟ ସରକାର ଙ୍କୁ ହାଇକୋର୍ଟ ଙ୍କ ନିର୍ଦେଶ I ଆସନ୍ତା ୨୦୨୩ ଫେବୃଆରୀ ୧ ତାରିଖ ପୂର୍ବରୁ ଏ ସଂକ୍ରାନ୍ତ ରେ ଏକ ପଲିସି ଆଣିବାକୁ ହାଇକୋର୍ଟ ନିର୍ଦେଶ ଦେଇଥିବା ଜଣାପଡ଼ିଛି

ସୂଚନା ଅନୁସାରେ , ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର କିଛି ଚାଷୀଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ ଜବରଦଖଲ ମାମଲା ରୁଜୁ ହୋଇଥିଲା । କେନ୍ଦ୍ର ସରକାରଙ୍କ ଥଇଥାନ ଯୋଜନାରେ କାଜୁ ଚାଷ ପାଇଁ ବୃନ୍ଦାବନ ଏବଂ ଅନ୍ୟମାନେ ୧୯୮୩ ମସିହାରେ ସରକାରୀ ଜମିରେ ଚାଷ କରିଆସୁଛନ୍ତି। ପରବର୍ତ୍ତି ସମୟରେ ଜବରଦଖଲ ଉଚ୍ଛେଦ କରି ନିଜେ କାଜୁ ଚାଷ ପାଇଁ ସରକାରଙ୍କ ପକ୍ଷରୁ ସେମାନଙ୍କୁ ନୋଟିସ ଜାରି ହୋଇଥିଲା।

ଆବେଦନକାରୀଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ୩୦ ବର୍ଷ ପୂର୍ବରୁ କେନ୍ଦ୍ର ସରକାରଙ୍କ ଥଇଥାନ ଯୋଜନାରେ ଜମି ପାଇଥିଲେ । ପରେ ସେମାନଙ୍କୁ ଜବରଦଖଲ କରାଯିବାରୁ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏଭଳି ସ୍ଥିତିରେ ଏତେ ବର୍ଷ ଧରି ଚାଷ କରୁଥିବା ଚାଷୀଙ୍କୁ ବେଦଖଲ କରିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଚାଷୀଙ୍କୁ କିପରି ସେହି ଜମି ହସ୍ତାନ୍ତର କରାଯାଇପାରିବ ସେନେଇ ନୀତିଗତ ନିଷ୍ପତ୍ତି ନେବାକୁ କୋର୍ଟ କହିଛନ୍ତି।ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ.ମୁରଲୀଧର ଓ ବିଚାରପତି ଜଷ୍ଟିସ ରାଧାକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଉଭୟ ହିତାଧିକାରୀ ଓ ରାଜ୍ୟ ସରକାରଙ୍କୁ ଫାଇଦା ଦେଉଥିବା ଏକ ନୀତି ଆସିବା ଦରକାର ବୋଲି ହାଇକୋର୍ଟ କହିଛନ୍ତି ।