ଭୁବନେଶ୍ୱର:ଆସନ୍ତା ଜୁନ୍ ୨୯ ତାରିଖରେ ମହାପ୍ରଭୁଙ୍କ ପବିତ୍ର ଦେବାସ୍ନାନ ପୂର୍ଣିମା ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବକୁ ସୁରକ୍ଷିତ, ଶୃଙ୍ଖଳିତ ପରିବେଶ ମଧ୍ୟରେ ସମ୍ପନ୍ନ କରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ ଆଜି କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ପବିତ୍ର ସ୍ନାନପୂର୍ଣ୍ଣିମା ଅବସରରେ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ, ଯାତାୟାତ ଏବଂ ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ଡିଜିପି ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଶ୍ରୀମନ୍ଦିରର ରୀତିନୀତି ଅନୁଯାୟୀ ସ୍ନାନଯାତ୍ରା ସମେତ ଆଗାମୀ ରଥଯାତ୍ରା ସମୟରେ ଯେପରି କୌଣସି ତ୍ରୁଟିବିଚ୍ୟୁତି ନ ହୋଇ ସୁଚାରୁରୂପେ ସମ୍ପନ୍ନ ହେବ, ସେଥିପାଇଁ ତୃଣମୂଳ ସ୍ତରରୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଡିଜିପି ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଶ୍ରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଙ୍କ ଦ୍ଵାରା ସ୍ନାନଯାତ୍ରା ପରିଚାଳନା ସମ୍ପର୍କିତ ଏକ ବିସ୍ତୃତ ଉପସ୍ଥାପନା ପ୍ରଦାନ କରାଯାଇଥିଲା।ସ୍ନାନପୂର୍ଣ୍ଣିମା ସମୟରେ ଶ୍ରୀମନ୍ଦିର ଭିତରେ ଓ ବାହାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏଥର ମୋଟ ୭୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ। ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବରିଷ୍ଠ ଅଧିକାରୀ ସ୍ତରରେ ୦୬ ଜଣ SP/Commandant, ୧୭ ଜଣ ଅତିରିକ୍ତ SP, ୪୨ ଜଣ DSP ଏବଂ ୯୪ ଜଣ ଇନ୍ସପେକ୍ଟରଙ୍କୁ ଦାୟିତ୍ଵ ଦିଆଯାଇଛି। ସେହିପରି ୩୫୨ ଜଣ SI/ASI, ୫୩ ଜଣ ହାବିଲଦାର, ୪୨୮ ଜଣ କନଷ୍ଟେବଳ ମୁତୟନ ହେବେ। ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଏବଂ ସୁଦୃଢ଼ ବାରିକେଡ୍ ବ୍ୟବସ୍ଥା କରାଯାଇଛି। ଯାହା ଫଳରେ ଶ୍ରଦ୍ଧାଳୁମାନେ ଧାଡ଼ିରେ ଯାଇ ସହଜରେ ଦର୍ଶନ କରିପାରିବେ।ଶ୍ରୀମନ୍ଦିର ଭିତରେ, ଚାରିପାଖରେ ଏବଂ ସମସ୍ତ ବାରିକେଡ୍ ମଧ୍ୟରେ ଅତ୍ୟାଧୁନିକ ସିସିଟିଭି କ୍ୟାମେରା ସଂଯୋଗ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ତତ୍କାଳ ମୁକାବିଲା ପାଇଁ ବାରିକେଡ୍ ଏବଂ ମନ୍ଦିର ଭିତରେ ସ୍ୱତନ୍ତ୍ର କ୍ରାକ୍ ଟିମ୍ ସଦାସର୍ବଦା ପ୍ରସ୍ତୁତ ରହିବେ। ପକେଟମାର୍ ଓ ଚେନ୍ ଲୁଟେରାଙ୍କୁ ରୋକିବା ପାଇଁ ସ୍ୱତନ୍ତ୍ର ‘ଆଣ୍ଟି ସ୍ନାଚିଂ ସ୍କ୍ୱାଡ୍’ ସହ ଆକସ୍ମିକ ସ୍ଥିତି ପାଇଁ ‘ଷ୍ଟ୍ରାଇକିଂ ଫୋର୍ସ’ ମୁତୟନ ରହିବେ। ଏହା ସହ ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ବିଭାଗ ସହ ସମନ୍ଵୟ ରଖାଯାଇ ଏହି ପବିତ୍ର ଦେବସ୍ନାନ ପୁର୍ଣିମାକୁ ସଫଳ ଭାବେ ଆୟୋଜନ କରିବାକୁ ଡିଜିପି ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।