ମୁଲାୟମଙ୍କ ପରଲୋକ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କର ସୋମବାର ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ କିଛିଦିନ ଧରି ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ସ୍ୱାସ୍ଥ୍ୟାବସ୍ଥା ଜଟିଳ ହେବାରୁ ରବିବାର ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା । ମୁଲାୟମଙ୍କ ପରଲୋକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନ୍‌କର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ସଭାପତି ଜେପି ନଡ୍ଡା, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଏକାଧିକ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ରାଜନେତା ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି । ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଉତ୍ତରପ୍ରଦେଶର ଇଟାୱା ଜିଲ୍ଲା ଅନ୍ତର୍ଗତ ସଫୈଇସ୍ଥିତ ପୈତୃକ ଗ୍ରାମରେ ସମସ୍ତ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ମୁଲାୟମଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସମାଜବାଦୀ ପାର୍ଟି ତରଫରୁ ସୂଚନା ଦିଆଯାଇଛି । ମୁଲାୟମଙ୍କ ସମ୍ମାନାର୍ଥେ ଉତ୍ତରପ୍ରଦେଶରେ ତିନିଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଘୋଷଣା କରିଛନ୍ତି ।
ମୁଲାୟମ ୧୯୩୯ ନଭେମ୍ବର ୨୨ରେ ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାର ସଫୈଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଇଟାୱା କଲେଜରୁ ସ୍ନାତକ ଏବଂ ଆଗ୍ରା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବାପରେ ମୁଲାୟମ ୧୯୬୭ରେ ରାମମନୋହର ଲୋହିଆଙ୍କ ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟିରେ ଯୋଗଦେଇ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ୧୯୬୮ରେ ସେ ଚୌଧୁରୀ ଚରଣ ସିଂହଙ୍କ ଭାରତୀୟ କ୍ରାନ୍ତି ଦଳରେ ଯୋଗଦେଇଥିଲେ । ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟି ଓ ଭାରତୀୟ କ୍ରାନ୍ତି ଦଳର ମିଶ୍ରଣ ପରେ ଭାରତୀୟ ଲୋକ ଦଳ ଗଠିତ ହୋଇଥିଲା । ୧୯୭୭ରେ ଜରୁରୀ ପରିସ୍ଥିତି ପ୍ରତ୍ୟାହାର ହେବାପରେ ଜନତା ଦଳ ସହ ଭାରତୀୟ ଲୋକ ଦଳର ବିଲୟ ଘଟିଥିଲା । ଜରୁରୀ ପରିସ୍ଥିତି ସମୟରେ ମୁଲାୟମ ଗିରଫ ହୋଇ ୧୯ ମାସ ଜେଲରେ ରହିଥିଲେ । କେନ୍ଦ୍ରରେ ଭିପି ସିଂହଙ୍କ ସରକାରର ପତନ ପରେ ୧୯୮୯ରେ ମୁଲାୟମ କଂଗ୍ରେସ ସମର୍ଥନରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇଥିଲେ । ତେବେ ୧୯୯୧ରେ କଂଗ୍ରେସ ସମର୍ଥନ ପ୍ରତ୍ୟାହାର କରିବାରୁ ତାଙ୍କ ସରକାର ଗାଦିଚ୍ୟୁତ ହୋଇଥିଲା । ଲୋକ ଦଳରେ ବିଭାଜନ ସୃଷ୍ଟି ହେବାପରେ ମୁଲାୟମ ୧୯୯୨ରେ ‘ସମାଜବାଦୀ ପାର୍ଟି’ ପ୍ରତିଷ୍ଠା କରିଥିଲେ । ୧୯୯୩ ବିଧାନସଭା ନିର୍ବାଚନରେ କାଂଶୀରାମଙ୍କ ‘ବହୁଜନ ସମାଜ ପାର୍ଟି’ ସହ ମେଣ୍ଟ କରି ମୁଲାୟମ ଉତ୍ତରପ୍ରଦେଶରେ ବିଜେପିକୁ ପରାସ୍ତ କରିବା ସହ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ । ୨୦୦୨ରେ ଉତ୍ତରପ୍ରଦେଶରେ ବିଜେପି-ବହୁଜନ ସମାଜ ପାର୍ଟି ମେଣ୍ଟ ସରକାର ଭାଙ୍ଗିବାପରେ ମୁଲାୟମ ତୃତୀୟ ଥର (୨୦୦୩-୨୦୦୭) ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ୨୦୦୩ରେ ପତ୍ନୀ ମାଳତି ଦେବୀଙ୍କ ପରଲୋକ ପରେ ମୁଲାୟନ ସାଧନା ଗୁପ୍ତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ୧୯୯୬ରୁ ୨୦୨୨ ପର୍ଯ୍ୟନ୍ତ ସେ ମୈନପୁରୀ, ଆଜମଗଡ ଓ ସମ୍ଭଲ ଭଳି ଆସନରୁ ସାତଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପୁନଶ୍ଚ ଏଚ.ଡି.ଦେବେଗୌଡା ଓ ଆଇ.କେ.ଗୁଜରାଲଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ମୁଲାୟମ ୧୯୯୬ରୁ ୧୯୯୮ ପର୍ଯ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ।