ଆଡପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ: ବନକଲାଗି ନୀତି ପାଇଁ ଆଜି ରାତିରୁ ୬ ଘଣ୍ଟା ବନ୍ଦ ରହିବ ଦର୍ଶନ

ଭୁବନେଶ୍ବର: ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ଦେଇ ଧାଡ଼ିରେ ପ୍ରବେଶ କରୁଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ସାରି ନାକଚଣା ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି। ଆଜି ସକାଳ ୯ଟା ୩୦ ମିନିଟ୍‌ରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଛି। ଅପରପକ୍ଷରେ, ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗର ଏକ ସ୍ୱତନ୍ତ୍ର ନୀତି ‘ବନକଲାଗି’ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ରାତି ୯ଟାରୁ ବିଳମ୍ବିତ ରାତି ୩ଟା ପର୍ଯ୍ୟନ୍ତ (ପ୍ରାୟ ୬ ଘଣ୍ଟା) ସାଧାରଣ ଦର୍ଶନ ବନ୍ଦ ରହିବ। ତେଣୁ ଆଜି ଆଡ଼ପ ମଣ୍ଡପ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ରାତି ୯ଟା ସୁଦ୍ଧା ଦର୍ଶନ ସାରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।