ଆମେରିକାରେ ମିଳିଲା କରୋନାର ବିପଜ୍ଜନକ ଏକ୍ସବିବି.୧.୫ ଭାରିଆଣ୍ଟ୍

ୱାଶିଂଟନ୍‌: ଆମେରିକାରେ କରୋନାର ନୂଆ ଭାରିଆଣ୍ଡ୍ ଏକ୍ସବିବି.୧.୫ ଠାବ କରାଯାଇଛି । ଏହା କରୋନାର ଅନ୍ୟ ଭାରିଆଣ୍ଟ୍ ତୁଳନାରେ ବହୁ ବିପଜ୍ଜନକ । ଏହା ବିକ୍ୟୁ.୧ ଭାରିଆଣ୍ଟ୍ ତୁଳନାରେ ୧୨୦ ଗୁଣ ତୀବ୍ର ଭାବେ ବ୍ୟାପିିଥାଏ ବୋଲି ଚୀନ୍ ବଂଶୋଦ୍ଭବ ଆମେରିକୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏରିକ୍ ଫେଗଲ୍ ଡିଙ୍ଗ୍ କହିଛନ୍ତି । ଡିଙ୍ଗ୍ କହିଛନ୍ତି, ଏବ୍‌ବିବି.୧.୫ କରୋନାର ଏକ ସୁପର୍ ଭାରିଏଣ୍ଟ୍ ହୋଇଥିବା ବେଳେ ଏହାର ସଂକ୍ରମଣ କାରଣରୁ ଲୋକଙ୍କ ହସ୍ପିଟାଲ୍‌ରେ ଭର୍ତ୍ତି ହାରରେ ଲଗାତାର ବୃଦ୍ଧି ପାଉଛି । ଜଣେ ସାଇଣ୍ଟିଷ୍ଟ୍ ନ୍ୟୁୟର୍କରେ ବ୍ୟାପୁଥିବା ଏହି ଭାରିଆଣ୍ଟ୍ ମଡେଲ୍‌ର ଷ୍ଟଡି କରିଛନ୍ତି । ଏହା ପୂର୍ବର ସମସ୍ତ ଭାରିଆଣ୍ଟ୍ ତୁଳାନରେ ତୀବ୍ର ଭାବେ ମନୁଷ୍ୟଙ୍କ ଇମ୍ୟୁନ୍ ସିଷ୍ଟମ୍‌କୁ ଧୋକା ଦେବାରେ ମାହିର । ସିଡିସି ଗତ ଦୁଇ ସପ୍ତାହରେ ଏକ୍ସବିବି. ୧.୫ ଭାରିଆଣ୍ଟ୍‌ର ସଠିକ୍ ତଥ୍ୟ ଜାରି କରିନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଏରିକ୍ ଦାବି କରିଛନ୍ତି । ଚୀନ୍ ପରି ଆମେରିକା ମଧ୍ୟ କରୋନାର ନୂଆ ଭାରିଆଣ୍ଟ୍ ତଥ୍ୟ ଲୁଚାଉଛି ବୋଲି ଏରିକ୍ ଗୋଟିଏ ପରେ ଗୋଟିଏ ୧୭ ଟ୍ୱିଟ୍ କରି ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଏକ୍ସବିବି. ୧.୫ ଭାରିଆଣ୍ଟ୍ ଆମେରିକାରେ ଜନ୍ମ ନେଇଥିବା ବେଳେ ସିଙ୍ଗାପୁରରେ ମିଳିଥିବା ଏକ୍ସବିବି ଭାରିଆଣ୍ଟ୍ ତୁଳନାରେ ୯୬% ତୀବ୍ର ଭାବେ ବ୍ୟାପିଥାଏ । ତାଙ୍କ ଅନୁସାରେ କରୋନାର ଏହି ନୂଆ ଭାରିଆଣ୍ଟ୍ ନ୍ୟୁୟର୍କରେ ଅକ୍ଟୋବର ମାସରୁ ବ୍ୟାପିବା ଆରମ୍ଭ କରିଦେଇଛି ।