ଦାମଙ୍କ ଭବିଷ୍ୟବାଣୀ: ବିଜେପିକୁ ମିଳିବ ୩ ଲୋକସଭା,୧୩ ବିଧାନସଭା ଆସନ

ଭୁବନେଶ୍ୱର, ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତ ନିରବତା ଭଙ୍ଗ କରିଛନ୍ତି । କିଛିଦିନ ପୂର୍ବରୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ହାଲ୍‌କା ଆଟାକ୍ କରୁଥିବା ଦାମ ଏବେ ଶାଣିତ ଭାଷାରେ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ କିଛିଦିନ ଧରି କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶା ଆସୁଥିବା ଦେଖାଯାଇଛି । ସେମାନଙ୍କ ଆଚରଣ ଓ ଉଚ୍ଚାରଣ ଠିକ୍‌ଠାକ୍ ନଥିଲା ଭଳି ଲାଗୁଛି । ସେମାନେ ନିଜର ସାମ୍ବିଧାନିକ ସ୍ଥିତି, ଦାୟିତ୍ୱ ଓ କର୍ତ୍ତବକୁ ଭୁଲି ଦଳୀୟ ଭିତ୍ତିରେ କାର୍ଯ୍ୟ କରୁଥିବା ଦେଖାଯାଉଛି । କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଦଳୀୟ କର୍ମୀଙ୍କ ଗହଣରେ ରାଜ୍ୟ ସରକାର କେନ୍ଦ୍ରୀୟ ପାଣ୍ଠି ହଡ଼ପ କରୁଛନ୍ତି ବୋଲି ଉଦ୍ଭଟ ଅଭିଯୋଗ କରିଛନ୍ତି । ଅନ୍ୟମନ୍ତ୍ରୀମାନେ ବି ଅନୁରୂପ ଭାବେ ରାଜ୍ୟ ସରକାରଙ୍କ ବିରୋଧରେ ଟିପ୍ପଣୀ ଦେଉଛନ୍ତି । ଏହା ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିପଦ । ଡା. ରାଉତ କହିଛନ୍ତି ଯେ ଓଡ଼ିଶାକୁ କେନ୍ଦ୍ର ସରକାର ଅବହେଳା କରି ଚାଲିଛି ।
ରାଜ୍ୟକୁ କୋଇଲା ରୟାଲିଟି ଦେବାରେ କେନ୍ଦ୍ର ଉଦାସୀନତା ଦେଖାଉଛି । ବିଭିନ୍ନ କ୍ଷେତ୍ରରେ ରହିଆସିଥିବା ରାଜ୍ୟର ଅନଗ୍ରସରତା ଦୂର କରିବା ନିମିତ୍ତ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ଦେବାରେ ମୁଖ୍ୟମନ୍ତ୍ରୀଙ୍କ ଦାବିକୁ କେନ୍ଦ୍ର ଶୁଣୁନାହିଁ । ରେଳବାଇ ପାଣ୍ଠି କେନ୍ଦ୍ର ସରକାରଙ୍କ ନିଜସ୍ୱ ହୋଇଥିଲାବେଳେ ଓଡ଼ିଶାର ରେଳ ବିକାଶ ନିମତ୍ତ ଅର୍ଥ ବଣ୍ଟନରେ ପାତର ଅନ୍ତର କରୁଛନ୍ତି । ବିଜେପିର ଏପରି ଓଡ଼ିଶା ବିରୋଧୀ ଆଭିମୁଖ୍ୟର ଜବାବ୍ ଓଡ଼ିଶାବାସୀ ଦେଉଛନ୍ତି, ଆଗାମୀ ଦିନରେ ବି ଦେବେ । ଫଳରେ ୨୦୨୪ ନିର୍ବାଚନରେ ଦଳ ପାଇଥିବା ୮ ଲୋକସଭା ଆସନରୁ ୩ ପାଇବ ଏବଂ ବିଧାନସଭା ଆସନ ୨୩ରୁ ୧୩କୁ ଖସିବ ବୋଲି ଦାମ କଟାକ୍ଷ ଛଳରେ ପୂର୍ବାନୁମାନ କରିଛନ୍ତି ।

Dam's prediction: BJP will get 3 Lok Sabha seats