ହିନ୍ଦୀ ଭାଷାରେ ରିଲିଜ ହେଲା ଦମନ

ଓଡ଼ିଆ ଭାଷାରେ ରିଲିଜ ହୋଇ ସୁପରହିଟ୍ ହୋଇଥିବା ଚଳଚ୍ଚିତ୍ର ‘ଦମନ’ ଏବେ ହିନ୍ଦୀ ଭାଷାରେ । ଆଜି ଓଡ଼ିଆ ଛବି ‘ଦମନ’ର ହିନ୍ଦୀ ରୂପାନ୍ତରର ଟ୍ରେଲର ରିଲିଜ୍‌ ହୋଇଯାଇଛି। ନିଆରା କାହାଣୀକୁ ନେଇ ସାରା ଓଡ଼ିଶାରେ ଚହଳ ପକାଇଥିବା ଏହି ଓଡ଼ିଆ ଫିଲ୍ମକୁ ଏବେ ସାରା ଦେଶ ଦେଖିବ। ‘ଦମନ’ର ଅଫିସିଆଲ୍‌ ଟ୍ରେଲର୍‌କୁ ନିଜ ୟୁଟ୍ୟୁବ୍‌ ପେଜ୍‌ରେ ସେୟାର କରିଛି ‘ପାନାରାମା ଷ୍ଟୁଡିଓଜ୍‌’। ଏହି ଫିଲ୍ମଟି ଆସନ୍ତା ମାସ ୩ ତାରିଖରେ ରିଲିଜ୍‌ ହେବ ବୋଲି ପାନୋରମା ଷ୍ଟୁଡିଓଜ୍ ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ପର୍ଯ୍ୟବସିତ ଏହି ଚଳଚ୍ଚିତ୍ରଟି ସମସ୍ତଙ୍କ ମନ କିଣିଥିଲା। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିବା ଅଭିନେତା ବାବୁସାନ ମହାନ୍ତିଙ୍କ ଅଭିନୟକୁ ମଧ୍ୟ ଦର୍ଶକ ଖୁବ ପସନ୍ଦ କରିଥିଲେ। ଲୋକପ୍ରିୟତା ବଢ଼ିବା ପରେ ଚଳଚ୍ଚିତ୍ର ‘ଦମନ’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରମୁକ୍ତ ଘୋଷଣା କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଉଦାସୀନ ହୋଇ ଉଠିଥିବା ଦର୍ଶକଙ୍କୁ ପୁଣି ଥରେ ଫିଲ୍ମ ହଲକୁ ଟାଣି ଆଣିଥିଲା ‘ଦମନ୍’।

ସୂଚନାମୁତାବକ; ୨୦୧୫ ମସିହାରେ ଏକ ସରକାରୀ ଡାକ୍ତରଖାନାରୁ ନିଜର ଏମ୍‌ବିବିଏସ୍‌ ପୂରା କରି ଯୁବ ଡାକ୍ତର ସିଦ୍ଧାର୍ଥ ମହାନ୍ତି ଆଦିବାସୀମାନଙ୍କ ଅଞ୍ଚଳ ମାଲକାନଗିରିରେ ‌ନିଯୁକ୍ତ ହେଉଛନ୍ତି। ଡାକ୍ତର ସିଦ୍ଧାର୍ଥ ନିଯୁକ୍ତ ହେଉଥିବା ‘ଜାନବାଇ ପିଏଚ୍‌ସି’ ଅଧୀନରେ ୧୫୧ଟି ଗାଁ ଯାଉଥିବା ବେଳେ ପୂରା ଅଞ୍ଚଳ ରହିଛି ନକ୍ସଲ୍‌ର କବ୍ଜାରେ। କେବଳ ସେତିକି ନୁହେଁ, ସେହି ଅଞ୍ଚଳ ଅନେକ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛି। ପ୍ରଥମେ ଡାକ୍ତର ସେ ସ୍ଥାନ ଛାଡ଼ି ପଳେଇ ଆସିବାକୁ ଚିନ୍ତା କରି ପରେ ସେ ଅଞ୍ଚଳରେ ବ୍ୟାପିଥିବା ମେଲେରିଆର ନିରାକରଣ ପାଇଁ ପ୍ରତିଜ୍ଞାବଦ୍ଧ ହୁଅନ୍ତି। ଅଣଶିକ୍ଷିତ ଲୋକଙ୍କ ଅନ୍ଧବିଶ୍ବାସ ଓ ରୋଗ ସହ ଲଢ଼ି ଲଢ଼ି ଶେଷରେ ସେ ମେଲେରିଆ ପରି ଏକ ରୋଗକୁ ନିୟନ୍ତ୍ରଣକୁ ଆଣନ୍ତି। ଏହା ଏକ ସତ କାହାଣୀ ହୋଇଥିବା ବେଳେ ଚଳଚ୍ଚିତ୍ରଟି ତାହାକୁ ନେଇ ତିଆରି ହୋଇଛି।