କେନ୍ଦୁଝର: ପୁଣି ମାତିଛନ୍ତି ସଶସ୍ତ୍ର ଡକାୟତ। କେନ୍ଦୁଝର ଜିଲ୍ଲାର ସଦର ଥାନା ଶୁଆକାଟି ଫାଣ୍ଡି ଅନ୍ତର୍ଗତ ବାୟାପଣ୍ଡାଦର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏକ ଡକାୟତି ଘଟିଛି। ପ୍ରାୟ ୮ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବନ୍ଧୁକ ଧରି ଗାଁର ସଂଗ୍ରାମ କେଶରୀ ନାଏକଙ୍କ ଘରେ ପଶି ଆତଙ୍କ ସୃଷ୍ଟି କରିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟି ନେଇଛନ୍ତି। ୬ଲକ୍ଷରୁ ଉର୍ଦ୍ଧ୍ଵ ନଗଦ ଟଙ୍କା ଓ ୧୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ।
ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ହୋଇଛି କହି ପାଣି ମାଗିଥିଲେ ଦୁର୍ବୃତ୍ତ। ତାପରେ ୮ଜଣ ଲୋକ ଘରେ ପଶି ବନ୍ଧୁକରୁ ବ୍ଲାଙ୍କ ଫାୟାରିଂ କରି ଘରର ସମସ୍ତ ସଦସ୍ୟଙ୍କୁ ଗୋଟିଏ ଘରେ ପୁରାଇ ସବୁ କିଛି ଲୁଟି ନେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଗୋଟିଏ ଦିନ ପୂର୍ବରୁ ଖୀରେଇଟାଙ୍ଗିରି ଗାଁର ଜଣେ ବ୍ୟବସାୟୀଙ୍କ ଘରୁ ମଧ୍ୟ ସମାନ ଢଙ୍ଗରେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍ ହୋଇଥିଲା। ଏହି କ୍ରମାଗତ ଲୁଟ୍ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।