ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କଲା ବାତ୍ୟା ‘ମୁରାସୁ:ଓଡ଼ିଶା ଉପରେ ପଡି଼ବନି ବିଶେଷ ପ୍ରଭାବ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିଛି ଭୀଷଣ ସାମୁଦ୍ରିକ ଝଡ଼ ‘ମୁରାସୁ’ । ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ନେଲ୍ଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଓଙ୍ଗୋଲ ନିକଟରେ ସ୍ଥଳଭାଗ ଛୁଇଁଛି ବାତ୍ୟା । ଆଜି ଭୋର ୩ଟା ୩୦ରୁ ୫ଟା ୩୦ ମଧ୍ୟରେ ଏହା ସ୍ଥଳଭାଗ ଅତିକ୍ରମ କରିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସ୍ଥଳଭାଗ ଅତିକ୍ରମ ସମୟରେ ବାତ୍ୟାର ପ୍ରଭାବ ଅତ୍ୟନ୍ତ ତୀବ୍ର ରହିଥିଲା । ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିଥିବା ବେଳେ ଝଟକା ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ରହିଥିଲା । ବାତ୍ୟାର ଗତି ଓ ପବନର ତୀବ୍ରତାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳରେ ସତର୍କତା ଜାରି ରହିଛି । ତେବେ ସ୍ଥଳଭାଗ ଅତିକ୍ରମ ପରେ ବାତ୍ୟାର ପରବର୍ତ୍ତୀ ଗତିପଥ ଓ ପ୍ରଭାବ ଉପରେ ପାଣିପାଗ ବିଭାଗର ନଜର ରହିଛି । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ବାତ୍ୟାର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ଅପେକ୍ଷାକୃତ କମ୍ ରହିବାର ସମ୍ଭାବନା ଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶା ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଓ ପବନର ପ୍ରଭାବ ଅଧିକ ରହିପାରେ । ତେଣୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସତର୍କ ରହିଛନ୍ତି । ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ ଏବଂ କନ୍ଧମାଳ ଜିଲ୍ଲାରୁ ମୋଟ ୧,୬୦,୦୨୧ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ବିପଦସଙ୍କୁଳ ଅଞ୍ଚଳରୁ ମୋଟ ୩,୩୩,୭୫୨ ଜଣଙ୍କୁ ସ୍ଥାନାନ୍ତର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସବୁଠାରୁ ଅଧିକ ଗଞ୍ଜାମ ଜିଲ୍ଲାରୁ ୧,୫୧,୪୩୪ ଜଣଙ୍କୁ ଅଣାଯାଇଛି। ଏହି ସବୁ ଜିଲ୍ଲାରେ ଲୋକଙ୍କ ରହଣି ପାଇଁ ରାଜ୍ୟରେ ମୋଟ ୨,୪୪୧ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଥିବାବେଳେ ସେଥିମଧ୍ୟରୁ ୫୫୨ଟି ଆଶ୍ରୟସ୍ଥଳୀ ବର୍ତ୍ତମାନ କାର୍ଯ୍ୟକ୍ଷମ ରହିଛି। ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଥିବାବେଳେ ସ୍ଥିତିକୁ ଦୃଷ୍ଟିରେ ରଖି ବିପଦପୂର୍ଣ୍ଣ ଜିଲ୍ଲାଗୁଡ଼ିକରେ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।