ବହୁ ସ୍ଥାନରେ ବରକୋଳି ଗଛ ଦେଖାଯାଏ । ଏହା ପ୍ରତିକୂଳ ପରିବେଶରେ ମଧ୍ୟ ହୋଇପାରିବ । ଆଜିକାଲି ବ୍ୟବସାୟିକ ଦୃଷ୍ଟିରୁ ବରକୋଳି ଚାଷ କରାଗଲାଣି । ଏହାକୁ ଗରିବ ଲୋକଙ୍କ ଫଳ ବୋଲି ଆଖ୍ୟା ଦିଆଯାଇଥାଏ । ବରକୋଳିର ଶସକୁ ଖିଆଯାଇଥାଏ । ଶସରେ ଶତକଡ଼ା ୮୧.୬ ଭାଗ ଜଳୀୟ ଅଂଶ, ୧୭ ଭାଗ ଶ୍ୱେତସାର, ୦.୮ ଭାଗ ପୁଷ୍ଟିସାର, ୦.୩ ଭାଗ ସ୍ନେହସାର ଓ ୦.୩ ଭାଗ ଖଣିଜ ଲବଣ ରହିଥିବାର ଜଣାଯାଏ । ପ୍ରତି ୧୦୦ ଗ୍ରାମ ଶସରେ ୭୬ ମିଲିଗ୍ରାମ ଭିଟାମିନ୍ ସି ରହିଥିବାର ଜଣାଯାଏ । ବରକୋଳି ଗଛର ଜନ୍ମ ଭାରତରେ ହୋଇଛି ବୋଲି ଜଣାଯାଏ । ଓଡ଼ିଶାରେ ପ୍ରାୟ ଅଢ଼େଇ ହଜାର ହେକ୍ଟର ଜମିରେ ବରକୋଳି ଚାଷ ହୋଇଥାଏ ।
ବିଭିନ୍ନ ପ୍ରକାରର ଜଳବାୟୁରେ ଏହା ଚାଷ କରାଯାଇ ପାରିବ । ବିଶେଷ କରି ଶୁଷ୍କାଞ୍ଜଳ ପାଇଁ ଏହା ଉପଯୁକ୍ତ ଗଛ । ପ୍ରାୟ ସବୁ ପ୍ରକାରର ମାଟିରେ ବରକୋଳି ଗଛ ହୋଇଥାଏ । ତେବେ ଅଧିକ ଗଭୀର ପର୍ଯ୍ୟନ୍ତ ଭଲ ମାଯି ଥିଲେ ଚେର ସୁବିଧରେ ବଢ଼ିପାରେ ।
ବରକୋଳି ଚାଷ ପାଇଁ ଅନେକ ଉନ୍ନତ କିସମ ରହିଛି । ସେସବୁ ହେଲା – ଗୋଲା, ଉମ୍ରା, କୈଥଲି, ଉମ୍ରାନ୍, ବନାରସି ଇତ୍ୟାଦି । କଲମୀ ଦ୍ୱାରା ବରକୋଳିର ବଂଶ ବିସ୍ତାର ହୋଇଥାଏ ।
ଜୁଲାଇ-ଅଗଷଟ ମାସରେ ଏହି ଗଛ ଲଗାଯାଏ । ପାଣି ମଡ଼ାଇବାର ସୁବିଧା ଥିଲେ ଜାନୁଆରୀ-ଫେବୃଆରୀ ମାସରେ ମଧ୍ୟ ଲଗାଯାଇ ପାରିବ । ଧାଡ଼ିକୁ ଧାଡ଼ି ୫ ମିଟର ଓ ଗଛକୁ ଗଛ ୫ ମିଟର ଦୂରତାରେ ବରକୋଳି ଗଛ ଲଗାଯାଏ । ଏହି ହିସାବରେ ଏକର ପ୍ରତି ୧୬୦ଟି ଗଛ ରହିପାରିବ । ଗାତ ଖୋଳିବା ବେଳେ ଏହାର ଲମ୍ବା, ଓସାର ଓ ଗଭୀରତା ୭୫ ସେଣ୍ଟିମିଟର ହୋଇଥିବା ଦରକାର । ଗାତରେ ଦୁଇ ଝୁଡ଼ି ଖତ ପକାଇବାକୁ ହେବ । ଏଥି ସହିତ ୧ କିଲୋଗ୍ରାମ ପିଡ଼ିଆ ବା ଅନ୍ୟ ଜୈବିକ ସାର ଦେବାକୁ ପଡ଼ିବ । ଏକ କ୍ୱିଣ୍ଟାଲ ଫଳ ଅମଳପାଇଁ ଗଛ ମାଟିରୁ ୪୦୦ ଗ୍ରାମ ଯବକ୍ଷାର, ୧୮୦ ଗ୍ରାମ ଫସଫରସ ଓ ୬୩୦ ଗ୍ରାମ ପଟାସ ଗ୍ରହଣ କରିଥାଏ ।
ଗଛ ବଡ଼ ହେଲେ ପ୍ରତି ବର୍ଷ ଗଛ ପିଛା ୫୦୦ ଗ୍ରାମ ଯବକ୍ଷାହର, ୧୬୦ ଗ୍ରାମ ଫସଫରସ ଓ ୬୦୦ ଗ୍ରାମ ପଟାସ ଦେବାକୁ ପଡ଼ିବ । ଏହି ସାର ପାଇବା ପାଇଁ ୧୧୦୦ ଗ୍ରାମ ୟୁରିଆ, ୧ କିଲୋଗ୍ରାମ ସିଙ୍ଗଲ ସପର ଫସଫେଟ୍ ଓ ୧ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ଆବଶ୍ୟକ ପଡ଼ିବ । ଏହା ବଦଳରେ ଗଛ ପ୍ରତି ୩୫୦ ଗ୍ରାମ ଡିଏପି, ୯୬୦ ଗ୍ରାମ ୟୁରିଆ ଓ ୧ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ବ୍ୟବହାର କରାଯାଇ ପାରିବ । ଏହା ବଦଳରେ ୬୨୦ ଗ୍ରାମ ଏନ୍ପିକେ (୧୦-୨୬-୨୬), ୯୬୦ ଗ୍ରାମ ୟୁରିଆ ଓ ୭୩୦ ଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ଦରକାର ହେବ । ଏହି ସାରକୁ ଦୁଇ ଭାଗ କରି ଥରେ ବର୍ଷାଋତୁ ଆରମ୍ଭରେ, ଆଉଥରେ ବର୍ଷାଋତୁ ଶେଷରେ ପ୍ରୟୋଗ କରିବାକୁ ପଡ଼ିବ ।
ବରକୋଳି ଗଛର ନୂଆ ଡାଳରେ ଫଳ ଆସେ । ତେଣୁ ପ୍ରତିବର୍ଷ ପୁରୁଣା ଡାଳକୁ କାଟିଦେବା ଆବଶ୍ୟକ । ଗଛରେ ପାଉଁଶିଆ ରୋଗ ହେବାର ଦେଖାଯାଏ । ଏହା ହେଲେ ପତ୍ର ଉପର ବିବର୍ଣ୍ଣ ଦେଖାଯାଏ । ପ୍ରତି ଲିଟର ପାଣିରେ୧ ମିଲିମିଟର ହିସାବରେ କଣ୍ଟାଫ ବା ୩-୪ ଗ୍ରାମ ସଲଫର ୮୦ ଡବ୍ଲ୍ୟୁପି ମିଶାି ସ୍ପ୍ରେ କଲେ ଏହହି ରୋଗ ଦମନ ହୋଇପାରିବ । ବେଳେବେଳେ ଫଳ ମାଛି ଲାଗିବାର ଦେଖାଯାଏ । ଏହାକୁ ଦମନ କରିବା ପାଇଁ ପ୍ରତି ଲିଟର ପାଣି ସହିତ ୨ ମିଲିଲିଟର ମାଲାଥିଅନ ମିଶାଇ ସ୍ପ୍ରେ କରିବାକୁ ହେବ ।
ଭଲ ଭାବେ ଚାଷ କଲେ ଏକର ପିଛା ୧୦୦-୧୨୦ କ୍ୱିଣ୍ଟାଲ ଅମଳ ହୋଇପାରିବ ।