୭ଦିନ ମଧ୍ୟରେ ବନ୍ଦ ହେବ କ୍ରେଡିଟ୍ କାର୍ଡ, ବିଳମ୍ବ ହେଲେ ୫୦୦ ଟଙ୍କା ଜରିମାନା

କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିଲେ ଆପଣଙ୍କ ପାଇଁ ଏକ ଭଲ ଖବର । ଏଣିକି କ୍ରେଡିଟ୍ କାର୍ଡ ବନ୍ଦ କରିବା ପାଇଁ ଗ୍ରାହକଙ୍କୁ ଆଉ ହଇରାଣ ହରକତ ହେବାକୁ ପଡିବନି । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି । ନିୟମ ଅନୁଯାୟୀ, ଏଥର ବ୍ୟାଙ୍କକୁ ୭ଦିନ ମଧ୍ୟରେ କ୍ରେଡିଟ୍ କାର୍ଡ ବନ୍ଦ କରିବାକୁ ପଡିବ । ଯଦି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହା କରା ନ ଯାଏ ତେବେ ବିଳମ୍ବ ପାଇଁ ଗ୍ରାହାକଙ୍କୁ ଦୈନିକ ୫ଶହ ଟଙ୍କା ହିସାବରେ ବ୍ୟାଙ୍କ ଜରିମାନା ଦେବ । ଆସନ୍ତା ଜୁଲାଇ ମାସ ୧ତାରିଖରୁ ଏହି ନୂଆ ନିୟମ ଲାଗୁ କରାଯିବ ।
କ୍ରେଡିଟ କାର୍ଡ ବନ୍ଦ ପାଇଁ ଆରବିଆଇର ନିୟମ :
୧- ଆରବିଆଇ ଜାରି କରିଥିବା ନିୟମ ଅନୁସାରେ, ଯଦି କୌଣସି କ୍ରେଡିଟ କାର୍ଡ ଧାରି ସମସ୍ତ ବକେୟା ରାସି ସୁଝିସାରିଥିବେ ଏବଂ କ୍ରେଡିଟ କାର୍ଡ ବନ୍ଦ କରିବା ପାଇଁ ଅନୁରୋଧ କରିଥିବେ ତାହେଲେ ଗ୍ରାହକଙ୍କ କାର୍ଡରୁ ୭ଦିନ ମଧ୍ୟରେ ବନ୍ଦ କରିବ କମ୍ପାନି ।
୨- କାର୍ଡ ହୋଲ୍ଡରଙ୍କୁ କ୍ରେଡିଟ୍ କାର୍ଡ ବନ୍ଦ କରିଯିବା ନେଇ ସୂଚନା ଏସଏମଏସ କିମ୍ବା ଇମେଲ ଜରିଆରେ ଦିଆଯାଇପାରିବ ।
୩- କୁହାଯାଇଛି କି, କମ୍ପାନୀମାନେ କାର୍ଡ ହୋଲ୍ଡରଙ୍କୁ ପୋଷ୍ଟ କିମ୍ବା ଅନ୍ୟ ମାଧ୍ୟମରେ କ୍ଲୋଜିଂ ଅନୁରୋଧ ପଠାଇବାକୁ ବାଧ୍ୟ କରିପାରିବେ ନାହିଁ । କାହିଁକି ନା ଏହାଦ୍ୱାରା ଅନୁରୋଧ ଗ୍ରହଣ କରିବାରେ ବିଳମ୍ବ ହୋଇପାରେ ।
୪- ଚତୁର୍ଥ ନିୟମ ଅନୁସାରେ, ଯଦି ୱାର୍କିଂ-ଡେ ମଧ୍ୟରେ କାର୍ଡ ବନ୍ଦ କରିବା ପ୍ରକ୍ରିୟାରେ କମ୍ପାନୀ ବିଳମ୍ବ କରେ ତାହେଲେ, କାର୍ଡ ବନ୍ଦ ହେବା ଯାଏଁ ପ୍ରତିଦିନ ୫ଶହ ଲେଖାଏ ଜରିମାନା ଗ୍ରାହକଙ୍କୁ ଦେବ କମ୍ପାନୀ ।
୫- ଯଦି ଏକ ବର୍ଷରୁ ଅଧିକ ସମୟ ପାଇଁ କ୍ରେଡିଟ୍ କାର୍ଡ ବ୍ୟବହୃତ ହୁଏନାହିଁ, ତେବେ ବ୍ୟାଙ୍କ କାର୍ଡଧାରୀଙ୍କୁ ଜଣାଇବା ପରେ ବ୍ୟାଙ୍କ କ୍ରେଡିଟ୍ କାର୍ଡ ଆକାଉଣ୍ଟ ବନ୍ଦ କରିବାର ପ୍ରକ୍ରିୟା ଆରମ୍ଭ କରିପାରେ । ଯଦି କାର୍ଡଧାରୀ ୩୦ଦିନ ମଧ୍ୟରେ ଏନେଇ କୌଣସି ପ୍ରତିକ୍ରିୟା ନକରନ୍ତି, ତେବେ ସମସ୍ତ ବିଲ କ୍ଲିଅର ହୋଇଗଲେ କାର୍ଡ ଇସ୍ୟୁ କରିଥିବା ସଂସ୍ଥା କାର୍ଡ ବନ୍ଦ କରିପାରିବେ ।
୬- କାର୍ଡ ପ୍ରଦାନକାରୀଙ୍କୁ କାର୍ଡ ବନ୍ଦ ହେବାର ୩୦ ଦିନ ମଧ୍ୟରେ କ୍ରେଡିଟ୍ ସୂଚନା କମ୍ପାନୀକୁ ଜଣାଇବାକୁ ପଡିବ ।
୭- କ୍ରେଡିଟ୍ କାର୍ଡ ଆକାଉଣ୍ଟ ବନ୍ଦ କରିବା ସମୟରେ ଯଦି କୌଣସି କାର୍ଡ ଆକାଉଣ୍ଟରେ କିଛି କ୍ରେଡିଟ୍ ବାଲାନ୍ସ ରହିଯାଇଛି ତେବେ ଏହାକୁ କାର୍ଡଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ ହେବ ।