ଚଳନ୍ତା ଟ୍ରେନ୍ ଉପରେ ଖସିଲା କ୍ରେନ୍, ୧୯ ମୃତ, ୮୦ ରୁ ଅଧିକ ଆହତ

ନୂଆଦିଲ୍ଲୀ: ଆଜି ସକାଳେ ଉତ୍ତର-ପୂର୍ବ ଥାଇଲ୍ୟାଣ୍ଡରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ସମଗ୍ର ଦେଶକୁ ଚକିତ କରିଦେଇଛି। ନିର୍ମାଣାଧୀନ ହାଇ-ସ୍ପିଡ୍ ରେଳ ପ୍ରକଳ୍ପର ଏକ କ୍ରେନ୍ ଟ୍ରେନ୍ ର ତିନୋଟି ବଗି ଉପରେ ପଡ଼ିବାରୁ ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ଅତି କମରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୮୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ପୋଲିସ ଅଧିକାରୀଙ୍କ ଅନୁଯାୟୀ, କିଛି ମୃତଦେହ ଏବେ ବି ଭଗ୍ନାବଶେଷରେ ଫସି ରହିଥିବା ଆଶଙ୍କା କରାଯାଉଛି ଏବଂ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ରାଜଧାନୀ ବ୍ୟାଙ୍କକ୍ ରୁ ପ୍ରାୟ ୨୩୦ କିଲୋମିଟର ଉତ୍ତର-ପୂର୍ବରେ ନାଖୋନ୍ ରାଚାସିମା ପ୍ରଦେଶର ଶିଖିଓ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ୍ ଟି ବ୍ୟାଙ୍କକ୍ ରୁ ଉବୋନ୍ ରାଚାଥାନି ପ୍ରଦେଶକୁ ଯାତ୍ରା କରୁଥିଲା। ପ୍ରତ୍ୟକ୍ଷଦର୍ଶୀ ଏବଂ ପୋଲିସଙ୍କ ଅନୁଯାୟୀ, ଟ୍ରେନ୍ ଟି ଘଟଣାସ୍ଥଳ ଦେଇ ଯାଉଥିବା ବେଳେ, ନିର୍ମାଣାଧୀନ ହାଇ-ସ୍ପିଡ୍ ରେଳ ଲାଇନର ଏକ ଭାରୀ କ୍ରେନ୍ ହଠାତ୍ ଭାଙ୍ଗି ପଡ଼ି ସିଧାସଳଖ ଟ୍ରେନ୍ ର ତିନୋଟି ବଗି ଉପରେ ପଡ଼ିଗଲା। ଟ୍ରେନ୍ ଟି ଲାଇନଚ୍ୟୁତ ହୋଇଥିଲା। ଏବଂ ଟ୍ରେନରେ ନିଆଁ ମଧ୍ୟ ଲାଗିଯାଇଥିଲା।

19 deadCrane falls on moving train