ବେଆଇନ୍ ଋଣ ଆପ୍ ଉପରେ ଲାଗିବ କଟକଣା

ନୂଆଦିଲ୍ଲୀ : ବେଆଇନ ଋଣ ପ୍ରଦାନକାରୀ ଆପ୍ ଗୁଡିକ ଉପରେ କଟକଣା ଲାଗୁ କରିବାକୁ କେନ୍ଦ୍ର ସରକାର ବର୍ତ୍ତମାନ ଅଣ୍ଟା ଭିଡିଛନ୍ତି । ଏହି ପରିପ୍ରେକ୍ଷୀରେ ଏକ ‘ହ୍ୱାଇଟ୍‌ଲିଷ୍ଟ୍‌’ ପ୍ରସ୍ତୁତ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇତିମଧ୍ୟରେ ରିଜର୍ଭ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ଲୋକେ ଯେପରି ବିଭ୍ରାନ୍ତିକର ଋଣ ଆପ୍ ଜାଲରେ ନ ପଡନ୍ତି, ସେଥିପାଇଁ ସଠିକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବ ବୋଲି ନିର୍ମଳା କହିଛନ୍ତି । ବର୍ତ୍ତମାନ ଦେଶରେ କାର୍ଯ୍ୟ କରୁଥିବା ଅଧିକାଂଶ ଋଣ ପ୍ରଦାନକାରୀ ଆପ୍ ଚୀନ୍ କମ୍ପାନୀ ଦ୍ୱାରା ପରିଚାଳିତ ବୋଲି ଜଣାପଡିଛି । ଏମାନଙ୍କର ଋଣ ଦେବା ଏବଂ ଋଣ ଆଦାୟ କରିବା ଶୈଳୀ ସମ୍ପୂର୍ଣ୍ଣଭାବେ ବେଆଇନ ବୋଲି ସରକାରୀଭାବେ କୁହାଯାଇଛି । ଚିହ୍ନଟ କରାଯିବାପରେ ଏଭଳି ଆପ୍‌କୁ ବାତିଲ କରାଯିବ ବୋଲି ସୂଚନା ମିଳିଛି । ସାଧାରଣତଃ ଗରିବ ଶ୍ରେଣୀର ଲୋକେ ଏଭଳି ଆପ୍ ଜରିଆରେ ବିନା କାଗଜପତ୍ରରେ ସହଜରେ ଋଣ ପାଇପାରୁଥିବାରୁ ଏହାକୁ ନିର୍ଭରଯୋଗ୍ୟ ବୋଲି ଭାବୁଛନ୍ତି । ତେବେ ପରବର୍ତ୍ତୀ ସମୟରେ ଏହି କମ୍ପାନୀ ଅଧିକ ସୁଧ ଦାବି କରିବା ସହ ପରିଶୋଧରେ ବିଳମ୍ବ ଘଟିଲେ ଉପଭୋକ୍ତାଙ୍କୁ ନାନାପ୍ରକାର ହଇରାଣ କରୁଥିବାର ପ୍ରମାଣ ମିଳିସାରିଛି । କେବଳ ରିଜର୍ଭ ବ୍ୟାଙ୍କ ନୁହେଁ, ବରଂ ଏଭଳି ଠକ ସଂସ୍ଥାଗୁଡିକୁ ତୁରନ୍ତ ରଦ୍ଦ କରିବାକୁ କର୍ପୋରେଟ୍ ମନ୍ତ୍ରଣାଳୟକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ରିଜର୍ଭ ବ୍ୟାଙ୍କ ଦ୍ୱାରା ଅନୁମୋଦିତ ଋଣ ପ୍ରଦାନକାରୀ ସଂସ୍ଥାର ତାଲିକା ପ୍ରକାଶ ପାଇଲେ, ଲୋକେ ଆଉ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ସରକାର ଆଶା କରୁଛନ୍ତି ।