ଭୁବନେଶ୍ୱର: ପଶ୍ଚିମବଙ୍ଗ ସହ ସୀମା ବାଣ୍ଟୁଥିବା ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ ଭଳି ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୀମାନ୍ତବର୍ତ୍ତୀ ପ୍ରାୟ ୮୧୦ଟି ଥାନା ଅଞ୍ଚଳକୁ ସମ୍ପୂର୍ଣ୍ଣ ଆଲର୍ଟ କରାଯିବା ସହ କୌଣସି ବି ସନ୍ଦେହଜନକ ପ୍ରବେଶ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ପଶ୍ଚିମବଙ୍ଗରେ ଅନୁପ୍ରବେଶକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପରେ ସେମାନେ ଓଡ଼ିଶା ମୁହାଁ ହେବାର ଆଶଙ୍କା ରହିଛି । ଏହାକୁ ନଜରରେ ରଖି ପଶ୍ଚିମବଙ୍ଗ ସୀମା ଲାଗିଥିବା ଓଡ଼ିଶାର ଉଦୟପୁରରୁ ତାଳସାରି ସମୁଦ୍ର କୂଳ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅନୁପ୍ରବେଶ ଆଶଙ୍କାରେ କୋଷ୍ଟଗାର୍ଡ, ମେରାଇନ ପୋଲିସ ପୂରା ସଜାଗ ରହିଛନ୍ତି । ସମୁଦ୍ରରେ ମାଛ ଧରୁଥିବା ମତ୍ସ୍ୟଜୀବୀମାନେ ମଧ୍ୟ ସନ୍ଦେହଜନକ ବ୍ୟକ୍ତିଙ୍କ ଉପରେ ନଜର ରଖୁଛନ୍ତି ।ସୀମା ଆରପାରିରୁ ଆସୁଥିବା ଯେକୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହ ସେମାନଙ୍କର କାଗଜପତ୍ର ଯାଞ୍ଚ କରିବାକୁ ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ସୀମାନ୍ତବର୍ତ୍ତୀ ପ୍ରାୟ ୮୧୦ଟି ଥାନା ଅଞ୍ଚଳକୁ ସମ୍ପୂର୍ଣ୍ଣ ଆଲର୍ଟ କରାଯିବା ସହ କୌଣସି ବି ସନ୍ଦେହଜନକ ପ୍ରବେଶ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଭଦ୍ରକ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଜିଲ୍ଲାରେ ରାତ୍ରିକାଳୀନ ଚେକିଂକୁ ଜୋରଦାର କରାଯାଉଛି । ଭଦ୍ରକ ସହରର ଏଣ୍ଟ୍ରି ପଏଣ୍ଟ ସହ ବାଇପାସ ଛକ, ଆରଡ଼ି ଛକ, ବନ୍ତ ଛକ, କଲେଜ ଛକ, ରାଜଘାଟ ଛକରେ କଡ଼ାକଡ଼ି ଯାଞ୍ଚ କରାଯାଉଛି । ସନ୍ଦିଗ୍ସମାନଙ୍କ ଆଧାରକାର୍ଡ ଯାଞ୍ଚ କରାଯାଉଛି । ସେପଟେ ପାରାଦ୍ବୀପରେ ଏବେ ମେରାଇନ ପୋଲିସ, କୋଷ୍ଟଗାର୍ଡ ସମୁଦ୍ରରେ ଜୋରଦାର ପେଟ୍ରୋଲିଂ କରୁଥିବା ବେଳେ ଉପକୂଳ ସୁରକ୍ଷା ଉପରେ ନଜର ରଖିଛି ପୋଲିସ ।