ଭାରତରେ ଏବେ ନୂଆ ଭାରିଏଣ୍ଟ କରୋନା NB.1.8.1 ଓ L.F.7 ବ୍ୟାପୁଛି

ନୂଆଦିଲ୍ଲୀ : ଦେଶରେ ଧିରେ ଧିରେ କୋଭିଡ ମାମଲା ସଂଖ୍ୟା ବୃଦ୍ଧି ଦେଖାଯାଇଛି, ଯାହା ଏବେ ଚିନ୍ତାର କାରଣ ପାଲଟିଛି। ଭାରତରେ ଏହାର ଦୁଇଟି ନୂଆ ସ୍ୱରୂପ ସାମ୍ନାକୁ ଆସିଛି। ଏଥିରୁ ଗୋଟିଏ ଏନ.ବି.୧.୮.୧ ହୋଇଥିବା ବେଳେ ଆଉ ଗୋଟିକ ଏଲ.ଏଫ.୭ ବୋଲି ବିଶେଷଜ୍ଞ କହିଛନ୍ତି। ଭାରତୀୟ ସାର୍ସ କୋଭ-୨ଜିନୋମିକ୍ସ କନସୋର୍ଟିୟମ (ଆଇଏନଏସଏସିଓଜି) ରିପୋର୍ଟ ଅନୁସାରେ ଏପ୍ରିଲ ମାସରେ ତାମିଲନାଡୁରେ ଏନ.ବି.୧.୮.୧ ମାମଲା ରେକର୍ଡ ହୋଇଛି। ସେହିପରି ମେ ମାସରେ ଗୁଜରାଟରେ ଏଲଏଫ.୭ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାର ଅର୍ଥ ହେଉଛି ଦେଶରେ କରୋନାର ନୂଆ ବିପଦ ଜନ୍ମ ନେଇସାରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଟଓ) ଏହି ଦୁଇ ଭାରିଏଣ୍ଟକୁ ‘ଭାରିଏଣ୍ଟ ଅଣ୍ଡର ମନିଟରିଂ’ ଶ୍ରେଣୀରେ ରଖିଛନ୍ତି। ଏହାର ଅର୍ଥ ବର୍ତ୍ତମାନ ଭୂତାଣୁକୁ ବିପଦଜନକ ମନେ କରାଯାଉ ନାହିଁ, ତେବେ ଏହା ଉପରେ ନଜର ରଖିବା ଜରୁରି। ହେଲେ ବିଶେଷଜ୍ଞଙ୍କ ଅନୁସାରେ ଏବେ ଏସିୟା ଓ ଚୀନରେ ବଢୁଥିବା କୋଭିଡ ମାମଲା ସଂଖ୍ୟା ଏହି ନୂଆ ଭୂତାଣୁ ଯୋଗୁ ହୋଇପାରେ। ଏନ.ବି.୧.୮.୧କୁ ନେଇ କେବଳ ଭାରତ ଚିନ୍ତିତ ନୁହେଁ। ଏହି ମାମଲା ଏବେ ଆମେରିକା, ଜାପାନ, ଦକ୍ଷିଣ କୋରିଆ, ଥାଇଲ୍ୟାଣ୍ଡ ଓ ଫ୍ରାନ୍ସ ଭଳି ଦେଶରେ ମଧ୍ୟ ସଂକ୍ରମଣ ହେଲାଣି। ବିଶେଷଜ୍ଞ ଭାବୁଛନ୍ତି ଏହି ଭାରିଏଣ୍ଟ ଖୁବ୍ ତୀବ୍ର ବ୍ୟାପିପାରେ, ହେଲେ ଗୁରୁତର ଲକ୍ଷଣ ଦେଖାଇବାର ପ୍ରମାଣ ଏ ପର୍ଯ୍ୟନ୍ତ ମିଳିନାହିଁ। ଏନ.ବି.୧.୮.୧ ଓ ଏଲ.ଏଫ.୭ରେ ଓମିକ୍ରନ ଭଳି ଲକ୍ଷଣ ଦେଖାଯାଉଛି। ଅର୍ଥାତ ହାଲୁକା ଜ୍ୱର, ଗଳା ଖସଖସ ହେବା, ନାକରୁ ଅନବରତ ପାଣି ବୋହିବା, ସୁଖିଲା କାଶ ହେବା, ମୁଣ୍ଡ ବିନ୍ଧା, ହାଲିଆ ଲାଗିବା, ମାଂସପେଶୀରେ ଯନ୍ତ୍ରଣା, ଭୋକ କମ ଲାଗିବା ଓ ଡାୟେରିଆ ହେବା ଆଦି ଲକ୍ଷଣ ଦେଖାଯାଉଛି।