ବାସବରାଜ ବୋମାଇ ‘ଭ୍ରଷ୍ଟ ଲିଙ୍ଗାୟତ ମୁଖ୍ୟମନ୍ତ୍ରୀ’: ସିଦ୍ଧରମୈୟା

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟରେ ରାଜନୈତିକ ବୟାନବାଜି ଜାରି ରହିଛି । ଏହା ମଧ୍ୟରେ ବାସବରାଜ ବୋମାଇଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ‘ଭ୍ରଷ୍ଟ ଲିଙ୍ଗାୟତ ମୁଖ୍ୟମନ୍ତ୍ରୀ’ କହିବା ପରେ ବିବାଦ ଜୋର୍ ଧରିଛି । ସୂଚନାଯୋଗ୍ୟ, ସିଦ୍ଧରମୈୟା କହିଥିଲେ ‘ପୂର୍ବରୁ ହିଁ ଜଣେ ଲିଙ୍ଗାୟତ ମୁଖ୍ୟମନ୍ତ୍ରୀ (ବାସବରାଜ ବୋମାଇ) ଅଛନ୍ତି, ଯିଏ ରାଜ୍ୟରେ ସମସ୍ତ ଭ୍ରଷ୍ଟାଚାରର ମୂଳ ।’ ସିଦ୍ଧରମୈୟାଙ୍କ ଏହି ବୟାନ ଦେଇ ପୂରା ଲିଙ୍ଗାୟତ ସମାଜର ଅପମାନ କରିଛନ୍ତି କହି ବିଜେପି ତାଙ୍କ ଉପରେ ଆକ୍ରମଣ କରିଛି । ସେହିପରି ସିଦ୍ଧାରମୈୟାଙ୍କ ବୟାନକୁ ନେଇ ବାସବରାଜ ବୋମାଇ କହିଛନ୍ତି, ଜଣେ ପୂର୍ବତନ ସମ୍ପର୍କରେ ଏପରି ବୟାନ ଦେବା ଠିକ୍ ନୁହେଁ । ପୂରା ଲିଙ୍ଗୟତ ସମାଜ ଭ୍ରଷ୍ଟ ବୋଲି ସେ କହିଛନ୍ତି । ଅତୀତରେ ବ୍ରାହ୍ମଣ ସମାଜର ପରିହାସ କରିଥିଲେ । ସେହିପରି ଲିଙ୍ଗାୟତ-ବୀରବୈଶ୍ୟ ସମାଜକୁ ଭାଗ ଭାଗ କରିବାକୁ ଉଦ୍ୟମ କରିଥିଲେ । ରାଜ୍ୟର ଲୋକମାନେ ସିଦ୍ଧରମୈୟାଙ୍କୁ ଶିକ୍ଷା ଦେବେ ବୋଲି ବୋମାଇ କହିଛନ୍ତି ।

ଅନ୍ୟପକ୍ଷରେ ସିଦ୍ଧରମୈୟା କହିଛନ୍ତି, ମୋ ଟିପ୍ପଣୀ କେବଳ ବୋମାଇଙ୍କ ଉଦ୍ଦେଶ୍ୟରେ ଥିଲା । ମୁଁ ଲିଙ୍ଗାୟତ ସମାଜ ଭ୍ରଷ୍ଟ ବୋଲି କହିନଥିଲି । ଏପରି ଭାବେ ରିପୋର୍ଟ କରିବା ଅନୁଚିତ । ରାଜ୍ୟରେ ପୂର୍ବରୁ ବହୁ ନିଷ୍ଠାବାନ୍ ଲିଙ୍ଗାୟତ ମୁଖ୍ୟମନ୍ତ୍ରୀ ରହିଥିଲେ । ଏସ୍ ନିଜଲିଙ୍ଗପ୍ପାଙ୍କ ପରି ନିଷ୍ଠାବାନ ମୁଖ୍ୟମନ୍ତ୍ରୀ ଥିଲେ, ଯାହାଙ୍କ ପ୍ରତି ମୋର ବହୁତ ସମ୍ମାନ ରହିଛି । ବିଜେପି ଦ୍ୱାରା ମୋ ଟିପ୍ପଣୀକୁ ଅନ୍ୟଭାବେ ଉପସ୍ଥାପନ କରାଯାଉଛି । ମେ ୧୦ ତାରିଖରେ ହେବାକୁ ଥିବା କର୍ଣ୍ଣାଟକ ନିର୍ବାଚନ ପାଇଁ ସିଦ୍ଧରମୈୟା ଶନିବାର ବରୁଣ ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ସେ କହିଥିଲେ, ଏହା ତାଙ୍କର ଅନ୍ତିମ ନିର୍ବାଚନ ହେବ ।

କୁମାରସ୍ୱାମୀ ହସ୍ପିଟାଲ୍‌ରେ ଭର୍ତ୍ତି
ଜନତା ଦଳ (ଏସ୍‌) ନେତା ଏବଂ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କୁ ଥକାପଣ ଏବଂ ଦୁର୍ବଳତା କାରଣରୁ ବେଙ୍ଗାଲୁରୁର ମଣିପାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ଜଣାଯାଇଛି । ତାଙ୍କୁ ଆରାମ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଆସନ୍ତାମାସ ୧୦ରେ ହେବାକୁ ଥିବା କର୍ଣ୍ଣାଟକ ନିର୍ବାଚନ ପାଇଁ ପାର୍ଟି ପ୍ରାର୍ଥୀଙ୍କ ପାଇଁ ଲଗାତାର ରାଜ୍ୟ ସାରା ବୁଲୁଛନ୍ତି । ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବୟାନରେ କୁହାଯାଇଛି, କୁମାରସ୍ୱାମୀ ପାର୍ଟି ନେତା ଏବଂ କର୍ମକର୍ତ୍ତାଙ୍କୁ ଚିନ୍ତା ନକରିବାକୁ ଅନୁରୋଧ କରିଛନ୍ତି ଏବଂ ବିଶ୍ରାମ ପରେ ନିର୍ବାଚନ ପ୍ରଚାର ଅଭିଯାନରେ ଭାଗନେବେ । ପୂର୍ବରୁ କୁମାରସ୍ୱାମୀଙ୍କ ହାର୍ଟ ସର୍ଜରୀ ହୋଇଥିଲା ।