କନେଷ୍ଟବଳଙ୍କ ନିଜ ପତ୍ନୀ ଙ୍କୁ ପ୍ରତାରଣା, ଏସପିଙ୍କ ଅଫିସ ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ କଲେ ପତ୍ନୀ

ଢେଙ୍କାନାଳ ପୋଲିସରେ କାର୍ଯ୍ୟରତ ଜଣେ ପୋଲିସ କନେଷ୍ଟବଳଙ୍କ ନାମରେ ପତ୍ନୀ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ନିଜ ପତ୍ନୀ ଥାଉ ଥାଉ କନଷ୍ଟେବଳ ଅନ୍ୟତ୍ର ବିବାହ କରିଥିବା ଅଭିଯୋଗ ଉଠାଇଛନ୍ତି ପ୍ରଥମ ପତ୍ନୀ ।ଏହା ସହିତ ସେ ପୁଣି କହିଛନ୍ତି, ମୋ ସ୍ୱାମୀ ଜଣେ ମହିଳା କନଷ୍ଟେବଳଙ୍କ ସହିତ ଦୀର୍ଘ ୬ ବର୍ଷ ଧରି ରହୁଛନ୍ତି। ଏବେ ଜଣେ ମହିଳାଙ୍କୁ ବିବାହ କରିଛନ୍ତି। ପତିଙ୍କ ବିରୋଧରେ ଏପରି ଅଭିଯୋଗ ଆଣି ଢେଙ୍କାନାଳଏ ସମ୍ପର୍କରେ ଥାନା ଠାରୁ ଆରମ୍ଭ କରି ଜିଲ୍ଲା ପୋଲିସ ଅଧିକାରୀଙ୍କ ପର୍ଯ୍ୟନ୍ତ ଗୁହାରି ପରେ କେହି ଶୁଣୁନାହାନ୍ତି ଏହି ପ୍ରତାରିତ ମହିଳାଙ୍କ କଥା । ଶେଷରେ ଆଜି ବାଧ୍ୟ ହୋଇ କନେଷ୍ଟବଳଙ୍କ ପତ୍ନୀ ଜଣଙ୍କ ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଆସି ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ ବେଳେ ଏସପିଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଉଦ୍ଧାର କରିଛନ୍ତି ।

ତେବେ ଏହି ମହିଳାଙ୍କର କୋଣସି କ୍ଷୟ କ୍ଷତି ହୋଇନଥିବା ଜଣାପଡିଛି । ଆତ୍ମହତ୍ୟା ଉଦ୍ୟମ କରୁଥିବା ମହିଳାଜଣଙ୍କ ଢେଙ୍କାନାଳ ବାଲିମି ଥାନା ଅନ୍ତର୍ଗତ ଦୁଦୁରୁକୋଟ ଗ୍ରାମ ବର ସାହିର ଶୈଳବାଳା ସାମଲ ବୋଲି ଜଣାପଡିଛି । ଶୈଳବାଳାଙ୍କ ଅଭିଯୋଗ ମୁତାବକ ଗତ ୨୦୧୨ ମସିହାରେ ସେ ତାଙ୍କ ଗ୍ରାମର ପବିତ୍ର ନାୟକଙ୍କୁ ବିବାହ କରିଥିଲେ । ପବିତ୍ର ଢେଙ୍କାନାଳ ରିଜର୍ଭ ପୋଲିସର କନଷ୍ଟେବଳ ଭାବେ କାର୍ଯ୍ୟରତ । ପବିତ୍ର ତାଙ୍କୁ ନାନା ନିର୍ଯାତନା ଦେଇ ଘରୁ ବାହାର କରିଦେଇ ଅନ୍ୟ ଏକ ଯୁବତୀଙ୍କୁ ବିବାହ କରିଛନ୍ତି । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ତାଙ୍କ ଗୁହାରି କେହି ଶୁଣୁ ନଥିବାରୁ ବାଧ୍ୟ ହୋଇ ଜୀବନ ହରିବାକୁ ବାହାରିଥିଲେ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଏ ସମ୍ପର୍କରେ ଜିଲ୍ଲା ପୋଲିସର କୌଣସି ଅଧିକାରୀ ପାଟି ଖୋଲୁ ନଥିଲେ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।