କଂଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’ ଆରମ୍ଭ

ଚେନ୍ନାଇ : କଂଗ୍ରେସର ମହତ୍ତ୍ୱାକାଂକ୍ଷୀ ‘ଭାରତ ଯୋଡ଼ୋ ଯାତ୍ରା’ ବୁଧବାର ତାମିଲନାଡ଼ୁର କନ୍ୟାକୁମାରୀରୁ ଆରମ୍ଭ ହୋଇଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ପାଞ୍ଚମାସରେ ୧୨ଟି ରାଜ୍ୟର ୩୫୭୦ କିମି ଦୀର୍ଘ ରାସ୍ତା ଅତିକ୍ରମ କରି ଏହି ଯାତ୍ରା କାଶ୍ମୀରରେ ଶେଷ ହେବ । ଏହି ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସର କେତେକ ବରିଷ୍ଠ ନେତାମାନେ ଭାଗ ନେଉଛନ୍ତି । ଯାତ୍ରା ଆରମ୍ଭ କରିବା ପୂର୍ବରୁ ରାହୁଲ ଗାନ୍ଧୀ ଶ୍ରୀପେରମ୍ବଦୁରର ସହିଦ ସ୍ମାରକୀରେ ପହଞ୍ଚି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଯାତ୍ରାରମ୍ଭ ପୂର୍ବରୁ ଏକ ସଭାକୁ ସମ୍ବୋଧିତ କରି ରାହୁଲ ବିଜେପି ଉପରେ ଆକ୍ରମଣ କରିବା ସହ ଲୋକଙ୍କୁ ଏହି ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ, ନ୍ୟୁଜ୍ ଚାନେଲ୍ ଦିନସାରା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଖାଯାଉଛି । ଆମମାନଙ୍କୁ କେହି ଦେଖାଉ ନାହାନ୍ତି, ସେଥିପାଇଁ ଏହି ଯାତ୍ରାର ଆୟୋଜନ କରାଯାଇଛି । ସେ ଆହୁରି କହିଥିଲେ, ଆମେ ପୁଣିଥରେ ଗୁଲାମୀ ଆଡ଼କୁ ଟାଣିହୋଇ ଯାଉଛେ । ପ୍ରଥମେ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ଦେଶ ଉପରେ ରାଜ୍ କରୁଥିଲା, ଏବେ ୩-୪ କମ୍ପାନୀ ଏହି କାର୍ଯ୍ୟ କରୁଛନ୍ତି । ରାହୁଲଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖଡ୍‌ଗେ, କେସି ବେଣୁଗୋପାଳ, ଦିଗ୍‌ବିଜୟ ସିଂହ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍‌, ଭୂପେଶ ବଘେଲ ଏବଂ ଯୋଗେନ୍ଦ୍ର ଯାଦବ ମଧ୍ୟ ସଭାକୁ ସମ୍ବୋଧିତ କରିଥିଲେ । ଯୋଜନା ଅନୁସାରେ ଏହି ଯାତ୍ରା ଦୁଇ ଶିଫ୍ଟରେ ଚାଲିବ । ପ୍ରଥମ ଶିଫ୍‌ଟରେ ସକାଳ ସାଢ଼େ ୧୦ଟା ବେଳେ ଏବଂ ଦ୍ୱିତୀୟ ଶିଫ୍ଟ ସାଢ଼େ ତିନିଟା ବେଳେ ଆରମ୍ଭ ହେବ । ଗୋଟିଏ ଦିନରେ ୨୨ରୁ ୨୩ କିମି ଅତିକ୍ରମ କରିବାର ଯୋଜନା ରହିଛି । ଏହି ଯାତ୍ରାରେ ଭିନ୍ନ ଭିନ୍ନ ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବା ୧୧୭ କଂଗ୍ରେସ ନେତା ସାମିଲ ହେବେ । ସେହିପରି କଂଗ୍ରେସର କର୍ମକର୍ତ୍ତା ମଧ୍ୟ ମାର୍ଚ୍ଚରେ ଭାଗନେବେ ।
ଏହି ଯାତ୍ରା ପାଇଁ ପାର୍ଟି ପକ୍ଷରୁ ୬୦ କଣ୍ଟେନର୍‌ର ବ୍ୟବସ୍ଥା କରାଯାଇଛି । ୧୫୦ ଦିନର ଏହି ଯାତ୍ରା ଅବସରରେ ରାହୁଲ ଗାନ୍ଧୀ ମଧ୍ୟ କଣ୍ଟେନର୍‌ରେ ଶୋଇବେ । ବିଶ୍ରାମ ସମୟରେ ଏହି କଣ୍ଟେନର୍‌ଗୁଡ଼ିକୁ ଏକ ଗାଁ ଆକାରରେ ରଖାଯିବ । କେତେକ କଣ୍ଟେନର୍‌ରେ ଏୟାର୍ କଣ୍ଡିସନର୍ ମଧ୍ୟ ଲଗାଯାଇଛି । ସୂଚନା ଅନୁସାରେ ଯାତ୍ରାରେ ସାମିଲ ନେତା ସ୍ଥାନୀୟ ଖାଦ୍ୟ ଭୋଜନ କରିବେ । ଗାଁର ଲୋକମାନେ ଭୋଜନ ପ୍ରସ୍ତୁତ କରିବେ । ଏହା ସହିତ ସମସ୍ତ ଯାତ୍ରା ଏକାଠି ଭୋଜନ କରିବେ । କୌଣସି ଜଣେ ବି ନେତା ହୋଟେଲ୍‌ରେ ରହିବେ ନାହିଁ । ଅନ୍ୟପକ୍ଷରେ ବିଜେପି କଂଗ୍ରେସର ଏହି ‘ଭାରତ ଯୋଡ଼ୋ ଯାତ୍ରା’କୁ ପାର୍ଟିର ଛଳନା ବୋଲି କହିବା ସହ ଏହା ପ୍ରମୁଖ ରୂପରେ ‘ପରିବାରକୁ ବଞ୍ଚାଇବା’ ପାଇଁ ଅଭିଯାନ ବୋଲି ଦାବି କରିଛି । ଫଳରେ ଦେଶର ସବୁଠୁ ପୁରୁଣା ପାର୍ଟି ଉପରେ ନିୟନ୍ତ୍ରଣ ଯେପରି ବଜାୟ ରହିବ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ଏହି ଯାତ୍ରା ମାଧ୍ୟମରେ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନେତା ରୂପେ ସ୍ଥାପିତ କରିବା ନିମନ୍ତେ କଂଗ୍ରେସର ଏହା ଆଉ ଏକ ପ୍ରୟାସ । ପ୍ରସାଦ କଟାକ୍ଷ କରି କହିଛନ୍ତି, ‘ଯେଉଁ ବ୍ୟକ୍ତି ନିଜ ପାର୍ଟିକୁ ଯୋଡ଼ିନପାରି ସର୍ବଦା ବିଦେଶ ଯାତ୍ରାରେ ପଳାଉଛନ୍ତି ଏବଂ ଯାହାଙ୍କୁ ଅଧ୍ୟକ୍ଷ କରିବା ନିମନ୍ତେ କଂଗ୍ରେସରେ ଏକ ‘ଦରବାରୀ ଗାୟନ’ ହେଉଛି, ସେ ବ୍ୟକ୍ତି ଭାରତ ଯୋଡ଼ୋ ଯାତ୍ରାରେ ବାହାରିଛନ୍ତି ।’