ପିଆଜ ଦର ବୃଦ୍ଧି ନେଇ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ଭୁବନେଶ୍ୱର: ହୁହୁ ବଢୁଛି ପିଆଜ ଦର । ଗତ ଦୁଇ ସପ୍ତାହରୁ ଅଧିକ ହେବ ରାଜ୍ୟରେ ପିଆଜ ଦାମ କିଲୋ ପିଛା ୬୦ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି । ପିଆଜର ଖୁଚୁରା ଦାମ ଦୁଇ ସପ୍ତାହ ପୂର୍ବରୁ କିଲୋ ପିଛା ୩୦ ଟଙ୍କାରେ ବିକ୍ରି ହେଉଥିଲା  ହେଲେ ହଠାତ କାହିଁକି ବଢିଗଲା ?  ଦରବୃଦ୍ଧି ଚାପରେ ପେଷି ହେଉଥିବା ଗରିବ ଖାଉଟି ଉପରେ ଏହା ବେଡ଼ି ଉପରେ କୋରଡା ମାଡ ପରି । ପିଆଜ ପ୍ରତିବର୍ଷ  ରାଜ୍ୟର ଖାଉଟିଙ୍କୁ   ଏତେ ହନ୍ତସନ୍ତ କରୁଛି । ହେଲେ ରାଜ୍ୟ ସରକାର ପ୍ରତିକାର କାହିଁକି କରୁ ନାହାନ୍ତି ? ଏମିତି କହି ରାଜ୍ୟ ସରଙ୍କାର ଉପରେ ବର୍ଷିଛି କଂଗ୍ରେସ ।

ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି କହିଥିଲେ, ରାଜ୍ୟ ସରକାର ପିଆଜର ଦରକୁ ବଜାରରେ ସ୍ଥିର ରଖିବାପାଇଁ ଏବଂ ରାଜ୍ୟରେ ପିଆଜ ଉତ୍ପାଦନକୁ ବୃଦ୍ଧି କରିବା ସକାଶେ ପିଆଜ ମିଶନ ୨୦୧୫ ମସିହାରେ କଲେ ।  ଏଥିପାଇଁ ୧୫ କୋଟି ଟଙ୍କାର ବ୍ୟୟ ବରାଦ କଲେ । ଏପର୍ଯ୍ୟନ୍ତ ୧୨ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇସାରିଲାଣି । କିନ୍ତୁ ରାଜ୍ୟର ଚାଷୀର ପିଆଜ ଅଭାବି ବିକ୍ରୀ ଏବଂ ଖାଉଟି ପିଆଜକୁ ଚଢ଼ାଦାମରୁ କିଣିବାରୁ ମୁକ୍ତି ପାଇଲା ନାହିଁ ।

କଂଗ୍ରେସ ଅଭିଯୋଗ କରିଛି, ରାଜ୍ୟରେ କେତେ ପିଆଜ ଉତ୍ପାଦନ ହେଉଛି ତାହାର ସମ୍ପୂର୍ଣ୍ଣ ଠିକ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ନାହିଁ  ।  ରାଜ୍ୟରେ ୩ଲକ୍ଷ ୭୫ ହଜାର ମେଟ୍ରିକ ଟନର ପିଆଜ ଉତ୍ପାଦନ ହେଉଛି ବୋଲି ଉତର ଦେଉଛନ୍ତି  । କିନ୍ତୁ ସେ ଯେତେବେଳେ ୨୦୧୮ ମସିହାରେ ଯୋଗାଣ ବିଭାଗର ମନ୍ତ୍ରୀ ଥିଲେ ରାଜ୍ୟରେ ୩ଲକ୍ଷ ୭୮ ହଜାର ମେଟ୍ରିକ ଟନର ପିଆଜ ଉତ୍ପାଦନ ହେଉଛି ବୋଲି କହୁଥିଲେ । ଏବେ ରାଜ୍ୟ ଉଦ୍ୟାନ କୃଷି ବିଭାଗର ଅଧିକାରୀ ୩ଲକ୍ଷ ୯୫ ହଜାର ମେଟ୍ରିକ ଟନ ପିଆଜ ଉତ୍ପାଦନ ହେଉଛି ବୋଲି କହୁଛି । ୨୪ ବର୍ଷର ସରକାର ରାଜ୍ୟରେ କେତେ ପିଆଜ ଉତ୍ପାଦନ ହେଉଛି ଏ ତଥ୍ୟଟି ଠିକ୍ ଭାବରେ ମନ୍ତ୍ରୀ ନା ବିଭାଗୀୟ ଅଧିକାରୀ ରଖୁଛନ୍ତି ।

୯ ବର୍ଷ ଭିତରେ ପିଆଜ ସଂରକ୍ଷଣ କରିବାପାଇଁ ରାଜ୍ୟ ସରକାର ଗୋଟିଏ ବୋଲି ଶୀତଳ ଭଣ୍ଡାର କରି ନାହାନ୍ତି । ଯଦି ରାଜ୍ୟ ସରକାର କରିଛନ୍ତି ବୋଲି କହୁଛନ୍ତି ତାହାଲେ ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ କେତେ ଶୀତଳ ଭଣ୍ଡାର ହୋଇଛି । ଏଥିରେ କେତେ ପିଆଜ ସଂରକ୍ଷଣ କେତେ ହେଉଛି ତାର ତଥ୍ୟ ବି ରଖନ୍ତୁ । ଓଡ଼ିଶା ବ୍ୟବସାୟୀ ମହାସଂଘର ସଭାପତି କହୁଛନ୍ତି ରାଜ୍ୟରେ ୧ଲକ୍ଷ ଟନରୁ କମ ପିଆଜ ଉତ୍ପାଦନ ହେଉଛି କାହା କଥା ଠିକ । ଆଳୁ ମିଶନ ଫେଲ, ପିଆଜ ମିଶନ ଫେଲ କିନ୍ତୁ ରାଜ୍ୟ ପ୍ରଗତୀ କରୁଛି ବୋଲି କେବଳ ଗଣମାଧ୍ୟମରେ ପ୍ରଚାର କରୁଛନ୍ତି ସରକାର ।

ରାଜ୍ୟର ୫ଟି ଜିଲ୍ଲା ଯଥା କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରେ ଚାଷୀମାନେ ପିଆଜ ଅଭାବୀ ବିକ୍ରି ସମସ୍ୟାରେ ବର୍ଷ ବର୍ଷ ଧରି ପିଡ଼ିତ । ସଂରକ୍ଷଣ ଅଭାବ ହେତୁ ଏ ପରିସ୍ଥିତି ସୃଷ୍ଟି ହେଉଛି । ରାଜ୍ୟ କଂଗ୍ରେସର ଦାବି ରାଜ୍ୟ ସରକାର ରାଜ୍ୟରେ ସମସ୍ତ ସୁଲଭ କୋକାନ ମାଧ୍ୟମରେ ଏବଂ ସହରାଂଚଳରେ ବିଭିନ୍ନ ଯାଗା ମାନଙ୍କରେ ୩୦ ଟଙ୍କା କିଲୋ ପିଛା ପିଆଜ ଲୋକମାନଙ୍କୁ ଯୋଗାଇ ଦିଅନ୍ତୁ, ଯେ ପର୍ଯ୍ୟନ୍ତର ଦାମ ୩୦ ଟଙ୍କାକୁ କମି ନାହିଁ । ଏଭଳି ଖାଉଟି ମାରଣ ପରିସ୍ଥିତିରୁ ରାଜ୍ୟ କେବେ ମୁକୁଳିବ ତା ମଧ୍ୟ ବିଭାଗୀୟ ମନ୍ତ୍ରୀମାନେ କୁହନ୍ତୁ ବୋଲି କଂଗ୍ରେସ ଦାବି କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ମୁଖପାତ୍ର କୃଷ୍ଣଚନ୍ଦ୍ର ପତି ଉପସ୍ଥିତ ଥିଲେ ।