ଗଙ୍ଗାଜଳକୁ ଶସ୍ତ୍ର ବନାଇଲା କଂଗ୍ରେସ

ନିର୍ବାଚନ ଆସିଲେ ରାଜନୈତିକଦଳମାନେ ଅନେକ ନିଆରା ଢଙ୍ଗରେ କାମ କରିଥାନ୍ତି । ଏହିକ୍ରମରେ କଂଗ୍ରେସ ଏବେ ଆପଣେଇଛି ନୂଆ ରାସ୍ତା l ୨୦୧୪ ଲୋକସଭା ନିର୍ବାଚନ ବେଳେ ଗଙ୍ଗା ସଫେଇକୁ ବିଜେପି ଏକ ପ୍ରସଙ୍ଗ କରିଥିବା ବେଳେ ଏବେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଗଙ୍ଗାଜଳର ସାହାରା ନେଇଛି କଂଗ୍ରେସ ପାର୍ଟି ।

ମଧ୍ୟପ୍ରଦେଶ କଂଗ୍ରେସ ତରଫରୁ ରାଜ୍ୟର ୧୦ ହଜାର ପରିବାରକୁ ବୋତଲରେ ଗଙ୍ଗାଜଳ ବାଣ୍ଟିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରଥମେ ଏହି ଗଙ୍ଗାଜଳ ଇନ୍ଦୋର ସହରରେ ବଣ୍ଟାଯିବ ଓ ପରେ ଏହାକୁ ପୂରା ରାଜ୍ୟରେ ବିତରଣ କରାଯିବ । ହେଲେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କି ଗଙ୍ଗାଜଳ ବାଣ୍ଟିବା ପଛରେ କଂଗ୍ରେସର କ’ଣ ଉର୍ଦ୍ଦେଶ୍ୟ ରହିଛି । ଗଙ୍ଗାଜଳ ବୋତଲ ସହିତ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ୧୧ ଟି ପ୍ରତିଶ୍ରୁତି ଉଲ୍ଲେଖ ଥିବା ପେପର ବି ବାଣ୍ଟିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି ।

କମଲନାଥଙ୍କ ତରଫରୁ ରାଜ୍ୟବାସୀଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ୧୧ ଟି ପ୍ରତିଶ୍ରୁତି ମଧ୍ୟରେ ରହିଛି ମହିଳାଙ୍କୁ ମାସିକ ୧୫୦୦ଟଙ୍କା ସହାୟତା, ୫୦୦ଟଙ୍କାରେ ଗ୍ୟାସ ସିଲିଣ୍ଡର, ୧୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି,୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ଅଧା , କୃଷକଙ୍କୁ ଋଣ ଛାଡ, ରାଜ୍ୟରେ ପୁରୁଣା ପେନସନ ଯୋଜନା ଲାଗୁ, କୃଷକଙ୍କୁ ମାଗଣା ବିଜୁଳି ଯୋଗାଣ, ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ, ରାଜ୍ୟରେ ଜାତିଗତ ଜନଗଣନା ଓ କୃଷକ ଆନ୍ଦୋଳନ ବେଳେ କୃଷକଙ୍କ ଉପରେ ହୋଇଥିବା ମାମଲାର ପ୍ରତ୍ୟାହାର ।