ନୂଆଦିଲ୍ଲୀ: ଏକ କଥିତ ଭିଡିଓକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ବିରୋଧରେ କଂଗ୍ରେସ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି। ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ସହ ତାଙ୍କୁ ଗିରଫ କରିବାକୁ ଦାବି କରାଯାଇଛି। ଲୋକସଭା ସାଂସଦ ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ କହିଛନ୍ତି ଯେ, କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ସହିତ ତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରି ଗିରଫଦାରୀ ଦାବି କରୁଛି। କେବଳ ସେତିକି ନୁହେଁ, ଭଗବନ୍ତ ମାନଙ୍କ ମୁହଁରେ କଳା ବୋଳି ତାଙ୍କୁ ଗାଁ ଗାଁ ବୁଲାଇ ଶୋଭାଯାତ୍ରା କରାଯିବା ଉଚିତ ବୋଲି ସେ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଚନ୍ନୀଙ୍କ ଅଭିଯୋଗ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ସର୍ବୋଚ୍ଚ ଶିଖ୍ ପୀଠ ‘ଅକାଳ ତଖ୍ତ’କୁ ଚ୍ୟାଲେଞ୍ଜ କରୁଛନ୍ତି। ଅକାଳ ତଖ୍ତ ଭଗବନ୍ତ ମାନଙ୍କୁ ସାମାଜିକ ବୟକଟ୍ କରିବାକୁ ନିର୍ଦ୍ଦେଶ ଦେଇଥିବାରୁ କୌଣସି କଂଗ୍ରେସ ନେତା ମୁଖ୍ୟମନ୍ତ୍ରୀଙ୍କ ସହ କୌଣସି ସମ୍ପର୍କ ରଖିବେ ନାହିଁ। ମାନ ବାରମ୍ବାର ଶିଖ୍ ଭାବନାକୁ ଆଘାତ ପହଞ୍ଚାଉଥିବାରୁ ଧାର୍ମିକ ଭାବନାକୁ କ୍ଷୁଣ୍ଣ କରିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ଗିରଫ କରାଯିବା ଆବଶ୍ୟକ।