କଂଗ୍ରେସର କାର୍ଯ୍ୟାନୁଷ୍ଠାନ, ଦଳରୁ ବହିଷ୍କୃତ ହେଲେ ୨୮ ବିଦ୍ରୋହୀ ପ୍ରାର୍ଥୀ

ନୂଆଦିଲ୍ଲୀ: ନଭେମ୍ବର ୨୦ ତାରିଖରେ ମହାରାଷ୍ଟ୍ରର ସମସ୍ତ ୨୮୮ ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ ମହା ବିକାଶ ଅଘାଡ଼ିର ଅଂଶ ହୋଇଥିବା କଂଗ୍ରେସ ବିଦ୍ରୋହୀ ପ୍ରାର୍ଥୀଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ରବିବାର ଦିନ ୨୮ ବିଦ୍ରୋହୀ ପ୍ରାର୍ଥୀଙ୍କୁ ‘ଦଳ ବିରୋଧୀ’ କାର୍ଯ୍ୟକଳାପ ପାଇଁ ୬ ବର୍ଷ ପାଇଁ ନିଲମ୍ବିତ କରିଛି। ଏହି ପ୍ରାର୍ଥୀମାନେ ନଭେମ୍ବର ୨୦ ତାରିଖରେ ରାଜ୍ୟର ୨୨ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ନିର୍ବାଚନରେ ​​ମହା ବିକାଶ ଅଘାଡ଼ିର ପ୍ରାର୍ଥୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଯେଉଁ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ମୁଲକ (ରାମଟେକ ନିର୍ବାଚନମଣ୍ଡଳୀ), ୟାଜ୍ଞୱଲ୍କ୍ୟ ଜିଚକର (କାଟୋଲ), କମଲ ବ୍ୟବାହାରେ (କସବା), ମନୋଜ ସିନ୍ଦେ (କୋପ୍ରି ପଚପାଖଡି) ଏବଂ ଆବା ବାଗୁଲ (ପାର୍ବତୀ) ଅଛନ୍ତି। କଂଗ୍ରେସ ବିବୃତ୍ତିରେ କୁହାଯାଇଛି ଯେ, ଏଆଇସିସି ପ୍ରଭାରୀ ରମେଶ ଚେନ୍ନିଥଲାଙ୍କ ନିର୍ଦ୍ଦେଶରେ ଏହି ନିଷ୍ପତ୍ତି ନିଆଯାଇଛି।

Congress action